କନ୍ଦାଉଛି ପିଆଜ ! ମନ୍ତ୍ରୀ କହିଲେ, ବର୍ଷା କମିଲେ ଦାମ କମିବ

32

କନକ ବ୍ୟୁରୋ : ପିଆଜ କାଟିଲେ ଆଖିରୁ ଲୁହ ବାହାରେ ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏବେ ପିଆଜ ଦାମ ଶୁଣିଲେ ଆପଣାଛାଏଁ ଆଖିରେ ଲୁହ ଝରି ଆସୁଛି । ପୁଣିଥରେ ଖାଉଟିଙ୍କ ଆଖିରେ ଲୁହ ଦେଇଛି ପିଆଜ । ବଜାରରୁ ପିଆଜ କିଣିବା ପୂର୍ବରୁ ହଜାରେ ଥର ଭାବୁଛନ୍ତି ଗ୍ରାହକ । ଏପରିକି ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି ରାଜ୍ୟ ସରକାର । ମହାରାଷ୍ଟ୍ର ଓ ଆନ୍ଧପ୍ରଦେଶର କୁର୍ଣ୍ଣୁଲ ଉପରେ ପିଆଜ ପାଇଁ ଓଡିଶା ନିର୍ଭରଶୀଳ । ହେଲେ ଗତ କିଛି ଦିନରୁ ବର୍ଷା ଲାଗି ରହିଥିବାରୁ, ନୂଆ ପିଆଜ ଉତ୍ପାଦନ ହୋଇପାରୁ ନାହିଁ । ତେଣୁ ବର୍ଷା ନ କମିବା ଯାଏ, ପିଆଜ ଦର କମିବନି ବୋଲି ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।

କେବଳ ଓଡିଶା ନୁହେଁ, ସାରା ଦେଶରେ ପିଆଜ ଦର ବୃଦ୍ଧିର ସମାନ ସ୍ଥିତି ବୋଲି ମଧ୍ୟ ସେ କହିଛନ୍ତି । ଭୁବନେଶ୍ୱରରେ ପିଆଜ ଦର କିଲୋ ପିଛା ୩୨ ଟଙ୍କା ଥିବାବେଳେ, ମୁମ୍ବାଇରେ ୩୧ ଟଙ୍କା, କୋଲକାତାରେ ୩୧ ଟଙ୍କା, ଦିଲ୍ଲୀରେ ୩୨ ଟଙ୍କା ଓ ଚେନ୍ନାଇ ଏବଂ ଦିଲ୍ଲୀରେ ୩୮ ଟଙ୍କା ଦର ରହିଛି । ତେବେ ଓଡିଶାରେ ଖୁଚୁରା ବେପାରୀ ୩୫ ଟଙ୍କାରେ ବିକୁଛନ୍ତି । ସେମାନଙ୍କ ଦର ନିର୍ଦ୍ଧାରଣ ଉପରେ ବି ନଜର ରଖିଛି ଖାଦ୍ୟ ଯୋଗାଣ ବିଭାଗ ।