ସେଞ୍ଚୁରୀ ମାରିବ ପିଆଜ ଦର ? ପିଆଜ କିଣିଲେ ଆଖି ପୋଡୁଛି, ଦର ଶୁଣିଲେ ଲୁହ ବୋହୁଛି । ଓଡିଶା ବଜାରରେ ୮୦ ଟପିଗଲା ଦର

369

କନକ ବ୍ୟୁରୋ: ପିଆଜ କିଣିଲେ ଆଖି ପୋଡୁଛି, ଦର ଶୁଣିଲେ ଲୁହ ବୋହୁଛି । ବଜାରରୁ ପିଆଜ କିଣିବାକୁ ହାତ ଯାଉନି କି ପରିବା ବ୍ୟାଗରେ ଘରକୁ ପିଆଜ ଭରି ଆଣିବାକୁ ମନ କହୁନି । ବଜାରରେ ପିଆଜ ଦର ହୁ ହୁ ହୋଇ ବଢୁଥିବାରୁ ପିଆଜକୁ ଭୁଲିଗଲେଣି ଲୋକେ । କେବଳ ଗରିବ ନୁହେଁ ଧନୀଙ୍କ ଭାତ ଥାଳି ପାଖରୁ ମଧ୍ୟ ପିଆଜ ଉଭାନ ହୋଇଛି । ରେଷ୍ଟୁରାଣ୍ଟ, ହୋଟେଲ ମାନଙ୍କରେ ତ ପିଆଜ ଦେବାକୁ ମାଲିକମାନେ ସିଧାସିଧା ମନାକରି ଦେଉଛନ୍ତି ।

ତେବେ ରାତି ପାହିଲେ ଦର ହଠାତ ବଢିଯାଉଥିବାରୁ ଲୋକେ ପିଆଜ କିଣାରୁ ମୁହଁ ଫେରାଇ ଆଣୁଛନ୍ତି । ଇତି ମଧ୍ୟରେ ଓଡିଶା ବଜାରରେ ପିଆଜ ଦର ୮୦ ଟପିଲାଣି । ବାଲେଶ୍ୱରରେ କିଲେ ପିଆଜକୁ ୯୦ ଟଙ୍କାରେ ବିକ୍ରି ହେଉଛି । କେଉଁ ମୂହୂର୍ତ୍ତରେ ପିଆଜ ସେଂଚୁରୀ ବି ପାର କରିଯିବ ତାହା କହି ହେବନି । ରାତି ପାହିଲେ ଦର ବଦଳୁଥିବାରୁ ଗ୍ରାହକ ଦୋକାନକୁ ଦୋକାନ ବୁଲି ଦର ପଚାରୁଛନ୍ତି ।

ସେପଟେ ରାଜଧାନୀରେ ବି ରେଟ୍ ସମାନ । କେଉଁଠି ୮୦ ତ ଆଉ କେଉଁଠି ୯୦ । ୧ ନମ୍ବର ମାର୍କେଟରେ ପିଆଜ ଯେତିକି ଥାଏ, ଘର ପାଖକୁ ଆସିବା ବେଳକୁ ଦୋକାନୀ ଆଉ ୧୦ ଟଙ୍କା ଯୋଡି ଦେଉଛନ୍ତି । ତେବେ ପିଆଜ ଦର କାହିଁକି ଏତେ ବଢିଛି, ତାର ସଠିକ ଉତ୍ତର କାହା ପାଖରେ ନାହିଁ ।

ଫାଷ୍ଟଫୁଡ୍ ଦୋକାନରେ ପଡିଛି ବର୍ଦ୍ଧିତ ପିଆଜର ମାଡ । ଚିଲି ଆଇଟମରେ ପିଆଜ କମ୍, ବନ୍ଧାକୋବି ଅଧିକ ଦିଆଯାଉଛି । ଅନେକ ସ୍ଥାନରେ ପିଆଜ ପାଇଁ ଆଇଟମ୍ ରେଟ୍ ବି ବଢାଇଦେଇଛନ୍ତି ଦୋକାନୀ । ବଜାରରେ ପିଆଜ ଦର ଆକାଶ ଛୁଆଁ ଏ କଥା ଯେମିତି ଦେହସୁହା ହୋଇଗଲାଣି । ଲୋକେ ଦର ପଚାରି ପଚାରି କିଣିବା ବି କମାଇଦେଲେଣି । ସେପଟେ ଯୋଗାଣ ମନ୍ତ୍ରୀ କିନ୍ତୁ କହୁଛନ୍ତି କେବଳ ଓଡିଶା ନୁହେଁ ସାରା ଦେଶରେ ଏଭଳି ସ୍ଥିତି । ତେବେ ପିଆଜ ସାରା ଓଡିଶାକୁ କଲବଲ କରୁଥିବା ବେଳେ ଗ୍ରାହକଙ୍କ ଅପେକ୍ଷା କେବେ କମିବ ପିଆଜ ଦର ।