ହୁ ହୁ ହୋଇ ବଢୁଛି ପିଆଜ ଦର, କେଜି ଛୁଇଁଲାଣି ୮୦ ଟଙ୍କା: ଦର ବୃଦ୍ଧି ଖାଉଟିଙ୍କ ପାଇଁ ବଢାଇଛି ଚିନ୍ତା; ସେପଟେ ପିଆଜର ଦରବୃଦ୍ଧି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ନିର୍ଦ୍ଦେଶ

81

କନକ ବ୍ୟୁରୋ: ହୁ ହୁ ହୋଇ ବଢ଼ୁଛି ପିଆଜି ଦର । ଗୋଟିଏ ମାସ ଭିତରେ ପିଆଜ ଦର ଦୁଇଗୁଣା ହେଲାଣି । ଯେଉଁ ପିଆଜ ସେପ୍ଟେମ୍ବର ମାସରେ କିଲୋପିଛା ୩୦ରୁ ୩୫ ଟଙ୍କାରେ ମିଳୁଥିଲା ଆଜି ସେହି ପିଆଜ ଦର କିଲୋପିଛା ୮୦ ଟଙ୍କାରେ ପହଁଚିଲାଣି । ଏହା ଖାଉଟିଙ୍କୁ ସିଧାସଳଖ ପ୍ରଭାବିତ କରିଛି । ତେବେ ପିଆଜ ଅମଳ ହେଉଥିବା ରାଜ୍ୟରେ ବର୍ଷା ଯୋଗୁଁ ପିଆଜ ନଷ୍ଟ ହୋଇଯିବା କାରଣରୁ ଏଭଳି ଦର ବୃଦ୍ଧି ପାଇଥିବା ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ବ୍ୟବସାୟୀ ସଂଘ ପକ୍ଷରୁ ମଧ୍ୟ ସମାନ କଥା କୁହାଯାଇଛି । ତେବେ କଳାବଜାରୀଙ୍କ ଉପରେ ଦୃଷ୍ଟି ରଖିବାକୁ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ।

ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଆରମ୍ଭ ହେଲା ଅନଲାଇନ ବ୍ୟବସ୍ଥା । ଏଣିକି ଧାନ ବିକ୍ରୟ ପାଇଁ ଚାଷୀଙ୍କ ପଞ୍ଜୀକରଣ, ରେସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନମାନଙ୍କ ଦ୍ୱାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ ଅନଲାଇନରେ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଓଡିଶାର ସାଢ଼େ ତିନି କୋଟି ଲୋକ ସିଧାସଳଖ ଏହି ବିଭାଗ ସହିତ ଯୋଡି ହୋଇ ରହିଛନ୍ତି । ତେଣୁ ସାଧାରଣ ଲୋକ ପରିବର୍ତନର ସୁଫଳ ଯେପରି ଠିକ୍ ଭାବରେ ପାଇପାରିବେ, ସେଥିପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି । ଏଣିକି ଲୋକମାନେ ଘରେ ବସି ଏହି ସବୁ ସୁବିଧା ପାଇପାରିବେ । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କହିଛନ୍ତି, ୫ଟି ଅଧିନରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରୁଛି ।

Comments are closed.