କନକ ବ୍ୟୁରୋ : ପୁଣି ପିଆଜ ଦର ବୃଦ୍ଧି ଘଟିଛି। ମଙ୍ଗଳବାର ରାଜଧାନୀର ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କା ଛୁଇଁଛି। ଆମଦାନୀରେ କୌଣସି ପ୍ରଭାବ ପ୍ରଭାବ ପଡ଼ିନଥିଲେ ହେଁ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଦର ବୃଦ୍ଧି ଓଡ଼ିଶା ବଜାରକୁ ପ୍ରଭାବିତ କରିଥିବା କୁହାଯାଉଛି। ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସରକାର ରପ୍ତାନି ଉପରେ କଟକଣା ଲଗାଇଥିବା ସତ୍ୱେ ପିଆଜ ବଜାର ତାତି ହ୍ରାସ ପାଇବା ନାଁ ଧରୁନାହିଁ।

Advertisment

ଅମଳ ଋତୁ ଆରମ୍ଭ ହେବାକୁ ଯାଉଥିଲେ ବି ନିକଟ ଭବିଷ୍ୟତରେ ପିଆଜ ଦର ହ୍ରାସ ପାଇବା ଆଶା କମ୍ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ନଭେମ୍ବର ମାସ ବେ‌ଳକୁ ପିଆଜ ଦର କମିବା ସମ୍ଭାବନା ରହିଛି, ମାତ୍ର ସେହି ସମୟ ପର୍ଯ୍ୟନ୍ତ ପିଆଜ ଦର ଆହୁରି ବଢ଼ିବା କିଛି ଅସମ୍ଭବ ନୁହେଁ ବୋଲି ବ୍ୟବସାୟୀମାନେ ଆକଳନ କରୁଛନ୍ତି। ତେଣୁ ଏବେ ପରିବା ବଜାରର ଆକାଶଛୁଆଁ ଦର ସାଙ୍ଗକୁ ଆଳୁ ଓ ପିଆଜ ଦର ବୃଦ୍ଧି ସାଧାରଣ ଗରିବ ପରିବାର ଉପରେ ଚଡ଼କ ପଡ଼ିବା ସଦୃଶ ହୋଇଛି।

ଗତ ଦୁଇ ଦିନ ପୂର୍ବେ ପିଆଜର ପାଇକାରୀ ଦର ୩୦ରୁ ୩୫ ଟଙ୍କା ମଧ୍ୟରେ ଥିଲା। କିନ୍ତୁ ହଠାତ୍ ଗତକାଲି ସନ୍ଧ୍ୟାରୁ ପାଇକାରୀ ଦର ୪୨ରୁ ୪୫ ଟଙ୍କାରେ ପହଞ୍ଚି ଯାଇଛି। ରାଜଧାନୀର ମୁଖ୍ୟ ମଣ୍ଡି କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଆଜି ପିଆଜର ପାଇକାରୀ ଦର ସର୍ବାଧିକ ୪୫ ଟଙ୍କା ରହିଛି। ନାସିକରୁ ଆମଦାନୀ ହେଉଥିବା ବଡ଼ ପିଆଜ ୪୫ ଟଙ୍କା ହୋଇଥିବାବେଳେ ଛୋଟ ପିଆଜ କିଲୋ ୪୨ ଟଙ୍କା ହୋଇଛି। ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ପାଇଁ ହଠାତ୍ ଦର ବୃଦ୍ଧି ଘଟିଛି ବୋଲି କୁହାଯାଉଛି।

କୁବେରପୁରୀରେ ପାଇକାରୀ ଦର ୪୫ ଟଙ୍କା ଟପିନଥିବାବେଳେ ଖୁଚୁରା ବଜାରରେ କିନ୍ତୁ କିଲୋ ୬୦ ଟଙ୍କା ହୋଇଯାଇଛି। ଆଜି କ୍ୟାପିଟାଲ ହାଟରେ ପିଆଜ ଏହି ଦରରେ ବିକ୍ରି ହେଉଥିବା ଜଣାପଡ଼ିଛି। ତେଣୁ କିଲୋ ପିଛା ଖୁଚୁରା ବେପାରୀମାନେ ୧୫ ଟଙ୍କାରୁ ଅଧିକ ମୁନାଫା ରଖି ବିକ୍ରି କରୁଛନ୍ତି। କେବଳ ସେତିକି ନୁହେଁ, କୁବେରପୁରୀରେ ଭଲ ମାନର ପିଆଜ ଦରକୁ ନେଇ ଖୁଚୁରା ବେପାରୀମାନେ ନିମ୍ନମାନର ପିଆଜ ଦର ସ୍ଥିର କରନ୍ତି।

ବିଶେଷକରି ରାଜଧାନୀର ଅନ୍ୟାନ୍ୟ ଛୋଟ ହାଟ ବା ଗଳିକନ୍ଦି ଦୋକାନ ଓ ଗ୍ରାମାଞ୍ଚଳ ଦୋକାନମାନଙ୍କରେ ନିମ୍ନ ମାନର ପିଆଜକୁ ଉଚ୍ଚ ମାନର ପିଆଜ ଦରରେ ବିକିବା ଏକ ସାଧାରଣ ଘଟଣା ହୋଇଆସିଛି। ଖୁଚୁରା ବଜାରରେ ରାଜ୍ୟ ଯୋଗାଣ ବିଭାଗର ଲଗାମ ନଥିବାରୁ ଏଭଳି ସ୍ଥିତି ସବୁ ସମୟରେ ଉପୁଜେ ବୋଲି କାହାକୁ ଅଛପା ନାହିଁ।

କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ଏହି ଦର ଆହୁରି ପ୍ରାୟ ଗୋଟିଏ ମାସ ରହିବ। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ବଜାରକୁ ନୂଆ ପିଆଜ ଆସିବା ପରେ ଦର ହ୍ରାସ ହୋଇପାରେ। ଏବେ କିଛି କିଛି ନୂଆ ପିଆଜ ଅମଳ ହେବା ଆରମ୍ଭ ହୋଇଥିଲେ ବି ବର୍ଷା ପାଇଁ ତାହା ବଜାରକୁ ଆସି ପାରୁନାହିଁ।

ନୂଆ ଅମଳ ହୋଇଥିବା ପିଆଜର ବର୍ଷା ସହନଶୀଳତା କମ୍ ଥିବାରୁ ଖୁବ୍‌ ଶୀଘ୍ର ନଷ୍ଟ ହୋଇଯିବ। ତେଣୁ ଚାଷୀମାନେ ଅମଳ କରୁନାହାନ୍ତି ଓ ଯେଉଁ କିଛି ପିଆଜ ଅମଳ ହେଉଛି, ତାହାକୁ ଚାଷୀମାନେ ସାଇତି ରଖୁଛନ୍ତି। ବଡ଼ କଥା ହେଉଛି ଗତ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସରକାର ପିଆଜ ରପ୍ତାନି ବନ୍ଦ କରିଛନ୍ତି। ତେଣୁ ଆଗକୁ ରପ୍ତାନି କଟକଣା ହଟିବା ଆଶା ଥିବାରୁ ଚାଷୀମାନେ ଭଲ ଦାମ୍‌ରେ ବିକିବା ପାଇଁ ସେହି ସମୟକୁ ଅପେକ୍ଷା କରିଛନ୍ତି।

ଫଳରେ ଏବେ ବଜାରକୁ ପିଆଜ ଆମଦାନୀ ସ୍ବତଃ କମ୍ ରହିଛି ଓ ଦର ଉଚ୍ଚା ରହିଛି। ଶ୍ରୀ ମିଶ୍ରଙ୍କ ସୂଚନାନୁସାରେ ଏବେ ମହାରାଷ୍ଟ୍ର ଲାସଲ୍‌ଗାଓଁ ଓ ନାସିକ ମଣ୍ଡିରେ ପିଆଜର ପାଇକାରୀ ଦର ୪୦ ଟଙ୍କା ଉପରେ ରହିଛି। ତଥାପି ଭୁବନେଶ୍ବରକୁ ପିଆଜ ଆମଦାନୀ ଉପରେ କିଛି ପ୍ରଭାବ ପଡ଼ିନାହିଁ। ଦୈନିକ ୨୫୦ ଟନ୍‌ ପିଆଜ ଆବଶ୍ୟକ ହେଉଥିବାବେଳେ ଏବେ ୨୦୦ ଟନ୍‌ ପିଆଜ ଆସୁଛି। ସୂଚନାଯୋଗ୍ୟ, ଅଗଷ୍ଟ ଶେଷ ସପ୍ତାହ ଓ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଖୁଚୁରା ବଜାରରେ ପିଆଜ ଦର ୨୦ ଟଙ୍କାରୁ ୨୫ ଟଙ୍କା ମଧ୍ୟରେ ଥିଲା। ସେହି ସମୟରୁ ବଢ଼ି ବଢ଼ି ଏବେ ଏହା ୬୦ ଟଙ୍କାରେ ପହଞ୍ଚିଲାଣି।