କନକ ବ୍ୟୁରୋ: କନ୍ଦେଇଲାଣି ପିଆଜ ଦର । ବଜାରକୁ ପରିବା ଆଣିବାକୁ ଗଲେ ପିଆଜ ଦର ଦେଖିଲେ ଡର ଲାଗୁଛି । କେଜି ପିଛା ପିଆଜ ଦର ଏବେ ୮୦ରୁ ଡେଇଁ ୧୦୦ ଟଂକାକୁ ଛୁଇଁଲାଣି । ସଂବଲପୁରରୁ ଆରମ୍ଭ କରି କଟକ, ଭୁବନେଶ୍ୱର, ପିପିଲିରୁ ନେଇ ବ୍ରହ୍ମପୁର ସବୁଠି ଉଚ୍ଚା ରହିଛି ପିଆଜ ଦର । ଏହା ଭିତରେ ଯେଉଁ କଥାଟି ଅଧିକ ଚିନ୍ତାଜନକ ତାହା ହେଉଛି, ପିଆଜର ଦରବୃଦ୍ଧି ଭିତରେ ମନ ଉଛା ଚଢା ଦରରେ ପିଆଜ ବିକ୍ରି କରୁଛନ୍ତି ବ୍ୟବସାୟୀ । ମାତ୍ର ୫୦୦ ମିଟର ଦୂରରେ ବଦଳି ଯାଉଛି ପିଆଜ ଦର । ଏପରି ଚଢା ଦର ଦେଖିବା ପରେ ଚିନ୍ତାରେ ପଡିଛନ୍ତି ଖାଉଟି । ସେପଟେ ରାଜ୍ୟ ଯୋଗାଣ ବିଭାଗ ବଜାରରେ ପିଆଜ ଦର ଉପରେ ଅଙ୍କୁଶ ଲଗାଇବାରେ ବିଫଳ ରହିଛନ୍ତି ।
ବ୍ୟବସାୟୀମାନଙ୍କ ତଥ୍ୟ ଅନୁସାରେ ଗତ ଦୁଇ ଦିନ ହେଲା ନାସିକ୍ ପିଆଜ ଆମଦାନି ପୂରା ବନ୍ଦ ରହିଛି। ତେଣୁ ଦୁଇ ଦିନ ପୂର୍ବରୁ ଯେଉଁ ମାଲ୍ ଆସିଥିଲା, ତାହାକୁ ଏବେ ନାସିକ୍ ଦର ହିସାବରେ ବିକ୍ରି କରାଯାଉଛି। ଆଜି ନାସିକ୍ରେ ପାଇକାରୀ ଦର ୮୫ ଟଙ୍କା ହୋଇଛି ବୋଲି ସେମାନେ କହିଛନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶ ପିଆଜର ଦର ଆଜି ସେଠାରେ ବୃଦ୍ଧି ପାଇଛି ଓ କିଲୋ ପିଛା ୭୫ ଟଙ୍କା ହୋଇଯାଇଛି। ତେଣୁ ଏହି ମାଲ୍ ଏବେ କିଣିଲେ ଦୁଇ ଦିନ ପରେ ଓଡ଼ିଶାରେ ପହଞ୍ଚିବାବେଳକୁ ପରିବହନ ଖର୍ଚ୍ଚ ସହ କିଲୋ ୮୦ ଟଙ୍କା ହୋଇଯିବ। ତେଣୁ ନାସିକ୍ରୁ ୮୦/୮୫ ଟଙ୍କା ଓ ଆନ୍ଧ୍ରପ୍ରଦେଶରୁ ୭୫ ଟଙ୍କା ଦରରେ ପିଆଜ କିଣି ଓଡ଼ିଶାରେ କେତେ ଦରରେ ବିକିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ଏଥିପାଇଁ ଆଜି କୁବେରପରୁରୀ ବହୁ ବ୍ୟବସାୟୀ ପିଆଜ ମଗାଇ ନାହାନ୍ତି। ଆନ୍ଧ୍ରପ୍ରଦେଶରୁ ଆସୁଥିବା ପିଆଜରୁ ବେଶ୍ କିଛି ପରିମାଣର ଖରାପ ପିଆଜ ବାହାରୁଛି। ତେଣୁ ଦରବୃଦ୍ଧି ସମୟରେ ବିକ୍ରି ହ୍ରାସ ପାଇଥିବା ବେଳେ ନଷ୍ଟ ପିଆଜ ଆହୁରି କ୍ଷତି ଘଟାଉଛି ବୋଲି କିଛି ବ୍ୟବସାୟୀ କହିଛନ୍ତି। ଅନ୍ୟ ପକ୍ଷରେ ଯଦି ଏହି ଧାରା ଲାଗି ରହେ, ତେବେ ଆମଦାନି ହ୍ରାସଜନିତ ଦରବୃଦ୍ଧି ଖାଉଟିମାନଙ୍କୁ ଆହୁରି ହନ୍ତସନ୍ତ କରିବ। ଉଲ୍ଲେଖଯୋଗ୍ୟ ଯେ ରାଜଧାନୀକୁ ଦୈନିକ ୨୫୦ ଟନ୍ ପିଆଜର ଆବଶ୍ୟକତା ଥିବାବେଳେ ଏବେ ପ୍ରାୟ ୧୦୦ ଟନ୍ ମାଲ୍ ଆମଦାନି ହେଉଛି ଓ ପାଖାପାଖି ୮୦ ଟନ୍ ମାଲ୍ ବିକ୍ରି ହେଉଥିବା ଆକଳନ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-23-at-7.36.12-PM.png)