କମୁନି ପିଆଜ ପ୍ରକୋପ: ଶହେ ଡେଇଁ ଦେଢ ଶହରେ ପହଁଚିଲା ଦର । ଖୁବଶୀଘ୍ର ୨ ଶହ ଛୁଇଁବା ଆଶଙ୍କା । ରାଜ୍ୟ ସହ ସାରା ଦେଶକୁ କନ୍ଦାଇଲା ପିଆଜ

426

କନକ ବ୍ୟୁରୋ: କିଲେ ପିଆଜକୁ ଦେଢ ଶହ ଟଙ୍କା । ଶହେ ଡେଇଁ ଦେଢ ଶହରେ ପହଁଚିଲା ପିଆଜ । ଖୁବଶୀଘ୍ର ୨ ଶହ ବି ହୋଇଯିବ, ସେଥିରେ କୌଣସି ଆଶଙ୍କା ନାହିଁ । ଓଡିଶା ବଜାରରେ ପିଆଜର ଦର ନା ଆଗରୁ କେବେ ଦେଖାଯାଇଛି ନା କିଏ ଶୁଣିଛି । ରାତି ପାହିଲେ ବଜାରରେ ପିଆଜ ଦର ବଦଳିଯାଉଛି । ୨୪ ଘଂଟା ମଧ୍ୟରେ ୩୦ ଟଙ୍କା ବଢିଯାଇଛି । ତେବେ ରାଜ୍ୟର ସବୁଠୁ ବଡ ବଜାର ଅର୍ଥାତ କଟକର ଛତ୍ର ବଜାରରେ ପିଆଜ ଦେଢ ଶହ ଛୁଇଁଛି । କିଣିବା ତ ଦୂରର କଥା, ପରିବା ବଜାରରେ ପିଆଜ ଦେଖିବା ବେଳକୁ, ପିଆଜ କଥା ଭାବିଲା ବେଳକୁ ମୁହଁ ଆମ୍ବିଳା ହେଉଯାଉଛି । କାରଣ, ରାତି ପାହିଲେ ପିଆଜର ଦର ବଢୁଛି ।

କଟକରେ କିଲେ ପିଆଜକୁ ଦେଢ ଶହ ଟଙ୍କା ଥିବା ବେଳେ ଭୁବନେଶ୍ୱରରେ ୧୩୦, ପିପିଲିରେ ୧୨୦, ସମ୍ବଲପୁରରେ ୧୨୦, ନବରଙ୍ଗପୁରରେ ୧୦୦, ନୂଆପଡାରେ ୧୦୦, ଆନନ୍ଦପୁରରେ ୧୦୦, ବ୍ରହ୍ମପୁରରେ ୧୦୦ ଓ ବାଙ୍କୀରେ ୧୧୦ ରହିଛି । ତେବେ ମାଲକାନଗିରିରେ ପିଆଜ କିଲୋ ପିଛା ୭୫ରୁ ୮୦ ଟଙ୍କାରେ ବିକ୍ରି ହେଉଛି ।
ସେପଟେ ପିଆଜର ମହଙ୍ଗା ମାଡ, ରୋଷେଇ ଘର ଓ ଗୃହିଣୀଙ୍କ ଉପରେ ବି ପଡିଛି । ଫୁଟଣରେ କମ୍ ପିଆଜ, ଭଜା ଓ ତରକାରୀରେ ବି ପିଆଜର ପରିମାଣ ଧିରେ ଧିରେ କମିଯାଇଛି । ଫାଷ୍ଟଫୁଡ ସେଣ୍ଟରରୁ ରେଷ୍ଟୁରାଂଟ ଯାଏଁ ସବୁଠି ପିଆଜର ବର୍ଦ୍ଧିତ ଦରର ପ୍ରକୋପ ବାରି ହେଉଛି ।

ତେବେ ଖାଲି ରାଜ୍ୟରେ ନୁହେଁ ସାରା ଦେଶରେ ପିଆଜର ମହଙ୍ଗା ମାଡ ଜାରି ରହିଛି । ସ୍ଥିତି ଏଭଳି ହୋଇଛି ଯେ, ପିଆଜର ଦର ବୃଦ୍ଧିକୁ ନେଇ ଆଜି ସଂସଦରେ ହୋହାଲ୍ଲା କରିଛି କଂଗ୍ରେସ । ବେଲଗାମ ପିଆଜ ଦର ବୃଦ୍ଧି ପ୍ରତିବାଦରେ ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ କଂଗ୍ରେସ ସାଂସଦ । ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଦିଲ୍ଲୀରେ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ବୈଠକରେ ମୋଦି ସରକାରର ଉଚ୍ଚ ପଦାଧିକାରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ରାମବିଳାସ ପାଶୱାନ ଏବଂ ନରେନ୍ଦ୍ର ସିଂ ତୋମାର ଉପସ୍ଥିତ ଥିଲେ । ଦେଶରେ ପିଆଜ ସଙ୍କଟ ଏଡାଇବାକୁ ଇଜିପ୍ଟ ଓ ତୁର୍କୀରୁ ପିଆଜ ଆମଦାନୀ କରୁଛନ୍ତି କେନ୍ଦ୍ର ସରକାର । ତଥାପି ସ୍ଥିତିରେ ସୁଧାର ଆସୁନାହିଁ । ବରଂ ଦିନକୁ ଦିନ ପିଆଜ ସଙ୍କଟ ବଢିବାରେ ଲାଗିଛି ।