କଳାହାଣ୍ଡିର ଧର୍ମଗଡ଼ରେ ଅଭାବନୀୟ ଘଟଣା। ୫-୬ ଟଙ୍କାରେ ବିକ୍ରି କରିଥିଲେ ପିଆଜ, ଏବେ କିଣୁଛନ୍ତି ୮୦ ଟଙ୍କାରେ

ସେପଟେ ପିଆଜ ଦର ଉପରେ ନିୟନ୍ତ୍ରଣ ପାଇଁ ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

887

କନକ ବ୍ୟୁରୋ: ସାରା ଦେଶରେ ପିଆଜ ସଙ୍କଟ । ରାତି ପାହିଲେ ଦର ବଢୁଛି । ମାସକ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୮୦ରେ ପହଁଚିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଏକ ଖବର । ପ୍ରଚୁର ପିଆଜ ଉତ୍ପାଦନ ହେଉଥିବା କଳାହାଣ୍ଡିର ଧର୍ମଗଡରେ ଚାଷୀ କିଛି ମାସ ତଳେ କିଲେ ପିଆଜକୁ ମାତ୍ର ୨ରୁ ୩ ଟଙ୍କାରେ ବିକ୍ରି କରିଥିଲା । ଏବେ ସେହି ପିଆଜକୁ ୮୦ ଟଙ୍କାରେ କିଣୁଛି ଚାଷୀ ।

ପିଆଜ ଅମଳର ଅଂଚଳ, କଳାହାଣ୍ଡିର ଧର୍ମଗଡ । ପ୍ରଚୁର ପିଆଜ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଥିବା ଧର୍ମଗଡରେ ଏବେ କିଲେ ପିଆଜକୁ ୮୦ ଟଙ୍କା । ସହରରେ ୬୦ରୁ ୭୦, ଆଉ ଗାଁରେ ମନଇଛା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ବଡ କଥା ହେଉଛି,  ଅମଳ ଋତୁରେ ପିଆଜ ବସ୍ତାକୁ ମାତ୍ର ଶହେରୁ ଦେଢଶହ ଟଙ୍କାରେ ବିକ୍ରି କରିଥିଲା ଚାଷୀ । ଅର୍ଥାତ୍ କିଲୋପ୍ରତି ୨ରୁ ୩ ଟଙ୍କା । ଏବେ ସେହି ପିଆଜକୁ ୮୦ ଟଙ୍କାରେ କିଣିବାକୁ ଚାଷୀ ବାଧ୍ୟ ହେଉଛି ।

 

ଧର୍ମଗଡ ଉପଖଣ୍ଡର ଗୋଲାମୁଣ୍ଡା, ଜୁନାଗଡ, କଲମପୁର, କୋକସରା ଓ ଜୟପାଟଣା  ବ୍ଳକରେ ଭଲ ପିଆଜ ଅମଳ ହୋଇଥାଏ । ପିଆଜ ଚାଷ ପାଇଁ ୩ରୁ ୪ ମାସ ସମୟ ଲାଗିଥାଏ । ତେବେ ପିଆଜ ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ଚାଷୀ, ପିଆଜ କିଲୋପ୍ରତି ୨ରୁ ୩ଟଙ୍କାରେ ବିକ୍ରି କରି ଦେଇଥିଲା । ଏପରିକି ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ବେପାରୀ ଶସ୍ତାରେ ପିଆଜ କିଣିନେଇଥିଲେ । ଏବେ ଯେତେବେଳେ ସାରା ରାଜ୍ୟରେ ପିଆଜ ସଙ୍କଟ ମାଡି ବସିଛି, ସେତେବେଳେ ଚାଷୀ ୮୦ ଟଙ୍କାରେ ପିଆଜ କିଣୁଛି ।

 

 

ଯେଉଁଠି ପିଆଜ ପ୍ରଚୁର ଆମଦାନୀ ହେଉଛି, ସେଇଠି ସଂରକ୍ଷଣର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇନାହିଁ । ଫଳରେ ଚାଷୀ ଆଭାବୀ ବିକ୍ରିର ସାମ୍ନା କରୁଛି । ସେପଟେ ବିଭାଗୀୟ ମନ୍ତ୍ରୀ, ନାସିକରେ ବନ୍ୟାସ୍ଥିତି ଏବଂ ଉତ୍ପାଦନ ହ୍ରାସ, ପିଆଜ ଦର ବୃଦ୍ଧିର କାରଣ ବୋଲି ବାରମ୍ବାର କହିଚାଲିଛନ୍ତି । ତେବେ ଏସବୁ ଭିତରେ ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତି ନେଇଛନ୍ତି । ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି । ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।