୧୬୦ଟଙ୍କାରେ ପହଞ୍ଚିଲା ପିଆଜ ଦର । କଟକ ଛତ୍ର ବଜାରରେ ପିଆଜ କିଲୋକୁ ୧୬୦ । ବିଭିନ୍ନ ସ୍ଥାନରେ ୧୫୦ରେ ହେଉଛି ବିକ୍ରି

ସାରା ଓଡ଼ିଶାରେ ପିଆଜକୁ ନେଇ ବଢୁଛି ଅସନ୍ତୋଷ; ବିନା ପିଆଜରେ ଚାଲିଛି ରୋଷେଇ

343

କନକ ବ୍ୟୁରୋ: ଶହେ ଡେଇଁ ଦେଢ ଶହରେ ପହଁଚିଲା ପିଆଜ । ଖୁବଶୀଘ୍ର ୨ ଶହ ବି ହୋଇଯିବ, ସେଥିରେ ଆଶଙ୍କା ବି ନାହିଁ । କାରଣ, ରାତି ପାହିଲେ ପିଆଜର ଦର ବଢୁଛି । ସାରା ଦେଶରେ ପିଆଜର ମହଙ୍ଗା ମାଡ ଜାରି ରହିଛି । ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଦିଲ୍ଲୀରେ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଦେଶରେ ପିଆଜ ସଙ୍କଟ ଏଡାଇବାକୁ ଇଜିପ୍ଟ ଓ ତୁର୍କୀରୁ ପିଆଜ ଆମଦାନୀ କରୁଛନ୍ତି କେନ୍ଦ୍ର ସରକାର । ତଥାପି ସ୍ଥିତିରେ ସୁଧାର ଆସୁନାହିଁ । ବରଂ ଦିନକୁ ଦିନ ପିଆଜ ସଙ୍କଟ ବଢିବାରେ ଲାଗିଛି । ବାଲେଶ୍ୱରରେ ପିଆଜ କିଲୋ ପ୍ରତି ୧୫୦ ଟଙ୍କା ରହିଛି ।

ସେପଟେ, ଗୋଟିଏ ରାତିରେ ୮ଟି ଦୋକାନରୁ ପିଆଜ ଚୋରୀ । କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡା ବଜାରରୁ ଗତକାଲି ରାତିରେ ଗୋଟିଏ କି ଦୁଇଟି ନୁହେଁ ୮ଟି ଦୋକାନରୁ ଏକାଥରକେ ଚୋରୀ ହୋଇଛି । ତାହା ପୁଣି ପିଆଜ ଚୋରୀ କରିନେଇଛନ୍ତି ଦୁର୍ବୃତ । ପିଆଜ ଦର ହୁ ହୁ ହୋଇ ବଢି ପିଆଜ କିଲୋ ପିଛା ଦର ୧୬୦ଟଙ୍କାରେ ପହଂଚିଲାଣି । ଏପରି ସ୍ଥଳେ ରାଇସୁଙ୍ଗୁଡା ବଜାରର ୮ଟି ଦୋକାନରୁ ପିଆଜ ଚୋରୀ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଥାନାରେ ପହଂଚିଛି ମାମଲା । ପୋଲିସ ରାଇସୁଙ୍ଗୁଡା ବଜାରରେ ପହଂଚି ତଦନ୍ତ କରି ଫେରିଥିବା ବେଳେ, ପିଆଜକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି ହୋଇଛି । ସେପଟେ ରାତ୍ରୀକାଳିନ ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।