ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପରେ ପିଆଜ ବଜାରରେ ନିଆଁ। ଗ୍ୟାସର ବର୍ଦ୍ଧିତ ଦରର ବୋଝ ଉପରେ ଏବେ ପିଆଜ ଦର ସିଧା ରୋଷେଇ ଘରକୁ ମାଡ଼ କରିଛି। ପିଆଜ କାଟିବା ବେଳେ ନୁହେଁ, ବରଂ କିଣିବା ବେଳେ ଲୋକଙ୍କ ଆଖିରୁ ପାଣି ବାହରିବା ଭଳି ସ୍ଥିତି ଉପୁଜିଲାଣି। ରନ୍ଧା ଶାଳର ଅତି ଦରକାରୀ ଜିନିଷ କିଣିବାକୁ ଲୋକେ ଘଡ଼ିଏ ଭାବିବାକୁ ବାଧ୍ୟ ହେଉଛନ୍ତି। ଜରୁରି ନଥିଲେ କିଣୁ ନାହାନ୍ତି। ଦୁଇ କିଲୋ କିଣିବା ଲୋକେ ଅଧକିଲୋ କିଣି ଫେରୁଛନ୍ତି। ବୌଦ୍ଧରେ ପିଆଜ ଦର ପଚାଶ ଛୁଇଁଲାଣି। ଆଗକୁ ଏହାର ଦର ବଢ଼ିବା ଆଶଙ୍କା ଦେଖା ଦେଇଛି। ନାସିକରୁ ପିଆଜ ଆସିବା ପରିମାଣ କମ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଏହାର ଭରପୂର ଫାଇଦା ନେଉଛନ୍ତି ଖୁଚୁରା ବ୍ୟବସାୟୀ। ସୁଯୋଗକୁ ହାତଛଡ଼ା ନକରି ଚଢ଼ା ଦରରେ ବିକ୍ରି କରୁଛନ୍ତି।
ସ୍ଥାନୀୟ ଚାଷୀଙ୍କ ପିଆଜ ଅମଳ ନହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି ଆଲୋଚନା ହେଉଛି। ହେଲେ ଜିଲ୍ଲା ପ୍ରଶାସନ ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଯୋଗୁଁ ପିଆଜ ଅମଳ କ୍ଷତିଗ୍ରସ୍ତ ହୋଇଛି। ଫଳରେ ମହାରାଷ୍ଟ୍ର ପିଆଜ ଉପରେ ନିର୍ଭର କରୁଥିବା ବୌଦ୍ଧ ବଜାରରେ ଏହାର ପ୍ରତିଫଳନ ଦେଖା ଦେଇଛି। ଅତ୍ୟାବଶ୍ୟକ ସମଗ୍ରୀ ମଧ୍ୟରେ ପିଆଜ ରହିଥିବାରୁ ଏହାର ଦର ନିୟନ୍ତ୍ରଣ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ରହିଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ରାଜ୍ୟ ସରକାରଙ୍କ ପିଆଜ ମିସନ ମଧ୍ୟ ବୌଦ୍ଧ ଜିଲ୍ଲାରେ ଫେଲ ମାରିଛି।
ବୌଦ୍ଧ ନିକଟବର୍ତ୍ତୀ ପାଲଝରରେ ଜାତୀୟସ୍ତରର ପିଆଜ ଗବେଷଣା କେନ୍ଦ୍ର ରହିଛି। ହେଲେ ଚାଷୀ ଏହାର ଭରପୂର ଫାଇଦା ଉଠାଇ ପାରୁ ନାହାନ୍ତି। ଅଳ୍ପ କିଛି ଚାଷୀ ଏହାର ସୁଯୋଗ ନେଇ ଉନ୍ନତମାନର ପିଆଜ ଚାଷ କରୁଛନ୍ତି। ହେଲେ ଅମଳ ପରେ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ସଂରକ୍ଷଣ ସୁବିଧା ନଥିବାରୁ ଅମଳ ହେବା ପରେ ହିଁ ଅତି ଶସ୍ତା ଦରରେ ବେପାରୀ ହାତରେ ଟେକି ଦିଅନ୍ତି। ଫଳରେ ପିଆଜ ଚାଷ ପ୍ରତି ବିମୁଖ ହେଉଥିବା ଦେଖାଯାଉଛି। ପାଞ୍ଚ ଟଙ୍କାରେ ନିଜେ ବିକ୍ରି କରିଥିବା ପିଆଜକୁ ଚାଷୀ ଏବେ ୫୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ଦୁଗ୍ଧ, ଅଣ୍ଡା ଓ କୁକୁଡ଼ା ମାଂସ କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ସ୍ବାବଲମ୍ବୀ ହୋଇପାରିଥିବା ବେଳେ ପିଆଜ କ୍ଷେତ୍ରରେ ଅନେକ ପଛରେ ରହିଯାଇଛି। ଉଚିତ ସଂରକ୍ଷଣର ବ୍ୟବସ୍ଥା ହେଲେ ପିଆଜରେ ମଧ୍ୟ ସ୍ବାବଲମ୍ବୀ ହେବା ଆଶା ରହିଛି। ତେବେ ବଜାରରେ ବର୍ତ୍ତମାନ ଦେଖା ପିଆଜ ଦର ଉପରେ ପ୍ରଶାସନ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/vlcsnap-2017-08-03-17h33m00s878.png)