କନକ ବ୍ୟୁରୋ: ଆକାଶ ଛୁଆଁ ପିଆଜ ଦର । ଗୋଦାମରେ ଯେଗାଣ ବିଭାଗର ଯାଂଚ  । ପିଆଜ ଦର ବୃଦ୍ଧି ପାଉଥିବାରୁ କଟକ ଛତ୍ରବଜାରର ବିଭିନ୍ନ ଗୋଦାମରେ ଯାଂଚ କରିଛି ଯୋଗାଣ ବିଭାଗ ଟିମ୍ । କେତେ ଷ୍ଟକ୍ ଅଛି ବା ଗଚ୍ଛିତ ଥିବା ଷ୍ଟକ୍ର ବିଲ୍, ସେସବୁର ଯାଂଚ କରାଯାଇଛି । ଏହାଛଡ଼ା କେତେ ବିକ୍ରି ହେଉଛି, ତାହା ମଧ୍ୟ ଯାଂଚ କରୁଛି ଟିମ୍ । ଅନିୟମିତତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ବିଭାଗର ଅଧିକାରୀ ।

Advertisment

ସେପଟେ ଟମାଟୋ ପରେ ପିଆଜ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ପ୍ରଶ୍ନ କରିଛି, ରାଜ୍ୟ ସରକାର ପିଆଜ ପାଇଁ କାହିଁକି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି? କାହିଁକି ରାଜ୍ୟରେ ଶୀତଳ ଭଣ୍ଡାର କରୁନାହାନ୍ତି ରାଜ୍ୟ ସରକାର? ବିଜେପି ମଧ୍ୟ ସମାନ କଥା ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି । ସେପଟେ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି । ବିଜେଡି କହିଛି, ଦର ନିୟନ୍ତ୍ରଣ କରିବା ଦାୟିତ୍ୱ ହେଉଛି କେନ୍ଦ୍ରର । ତେଣୁ କେନ୍ଦ୍ର ସରକାର ଏହାର ବ୍ୟବସ୍ଥା କରିବା ଦରକାର ବୋଲି କହିଛି ବିଜେଡି ।

ଓଡ଼ିଶା ପିଆଜ ଯାଉଛି କୁଆଡ଼େ?

ପିଆଜ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ଥିବା ବେଳେ ଅନ୍ୟ ରାଜ୍ୟ ଉପରେ କାହିଁକି ନିର୍ଭର କରୁଛି । କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୩.୭୫ ଲକ୍ଷ ଟନ୍‌ ପିଆଜର ଚାହିଦା ଥାଏ। ସେହି ଅନୁଯାୟୀ ପିଆଜ ଉତ୍ପାଦନ ହେଉଛି। ଏହା ସତ୍ତ୍ବେ ନାସିକ ପିଆଜ ହିଁ ଓଡ଼ିଶା ବଜାରକୁ କବ୍‌ଜା କରି ରଖିଛି। ଆଇଗିଣିଆ ପାଇକାରୀ ବ୍ୟବସାୟୀ ସଂଘ କହିବା ଅନୁସାରେ, ଦେଶରେ ପିଆଜ ବର୍ଷକୁ ୪ ଥର ହୁଏ। ଥରେ ଉତ୍ପାଦନ ନଷ୍ଟ ହେଲେ ଏହା ପରବର୍ତ୍ତୀ ଋତୁକୁ ପ୍ରଭାବିତ କରେ। ବର୍ଷା ଅଭାବରୁ ଆନ୍ଧ୍ରପ୍ରଦେଶର ପିଆଜ ଉତ୍ପାଦନ ପ୍ରଭାବିତ ହେଲା। ସମୁଦାୟ ଯୋଗାଣ ଚାପ ନାସିକ ପିଆଜ ଉପରେ ପଡ଼ିଛି। ସେପଟେ ଚାହିଦା ଅନୁଯାୟୀ ନାସିକ ଚାଷୀ ପିଆଜ ଯୋଗାଇପାରୁ ନାହାନ୍ତି। ଏଣୁ ଦର ବୃଦ୍ଧି ପାଉଛି। ଦୁର୍ଭାଗ୍ୟଜନକ ସ୍ଥିତି ହେଲା, ଭଞ୍ଜନଗର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଯେଉଁଠି ଦିନେ ବ୍ୟାପକ ପିଆଜ ଉତ୍ପାଦନ ହେଉଥିଲା ସେଠିବି ନାସିକ ପିଆଜ ବିକ୍ରି ହେଉଛି। ତେଣୁ ଆନ୍ଧ୍ରପ୍ରଦେଶ କିମ୍ବା ନାସିକ ଯେଉଁଠି ମଧ୍ୟ ପିଆଜ ଉତ୍ପାଦନର ସମସ୍ୟା ହେଲା ମାତ୍ରେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି।