ସାଧାରଣ ଲୋକଙ୍କ ପାଇଁ ବଡ ଖବର, ଦୀପାବଳୀ ସୁଦ୍ଧା ପିଆଜ କିଲୋ ୧୦୦ ପାର । ଜାଣନ୍ତୁ କାରଣ

1,109

କନକ ବ୍ୟୁରୋ : ଦେଶରେ ବିଭିନ୍ନ ସ୍ଥାନରେ ଲାଗିରହିଥିବା ଲଗାଣ ବର୍ଷା ଫଳରେ ଆଗାମୀ ଦିନରେ ପିଆଜ ସାଧାରଣ ଲୋକଙ୍କ ପକେଟ୍ ଉପରେ ପ୍ରଭାବ ପକାଇବାକୁ ଯାଉଛି । କୁହାଯାଉଛି କି ଯେଭଳି କ୍ରମାଗତ ଭାବେ ପିଆଜର ଦର ବଢିବାରେ ଲାଗିଛି ଦୀପାବଳୀ ସୁଦ୍ଧା ପିଆଜ କିଲୋ ୧୦୦ ଟଙ୍କାକୁ ପାର କରିଯିବ । ବର୍ତମାନ ଖୁଚୁରା ବଜାରରେ ପିଆଜର ମୂଲ୍ୟ ୪୦ ରୁ ୫୦ ଟଙ୍କା ମଧ୍ୟରେ ରହିଛି । ସୋମବାର ଦିନ ନାଶିକ୍ ଠାରେ ଥିବା ଦେଶର ସବୁଠାରୁ ବଡ ପିଆଜ ମଣ୍ଡି ଲାସଲଗାଁଓ ରେ ପିଆଜ କୁଇଣ୍ଟାଲ ପ୍ରତି ୬୮୦୨ ଟଙ୍କାରେ ବିକ୍ରି ହେଉଛି । ଏହି ଦର ଚଳିତ ବର୍ଷରେ ସବୁଠାରୁ ଉଚ୍ଚ ଦର । ଖୁଚୁରା ବେପାରୀ ମାନେ କହିଛନ୍ତି କି ଆଗାମୀ ଦିନରେ ଏହା କିଲୋ ପ୍ରତି ୧ ଶହ ଟଙ୍କା ପାର କରିଯିବ ।
କିଛିଦିନ ଧରି ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ହେବାରେ ଲାଗିଛି । ଯାହା ଫଳରେ ପିଆଜ ଦର ଆକାଶ ଛୁଅାଁ ହୋଇଛି । ବେପାରୀ ମାନଙ୍କ କହିବାକଥା କି ଫେବୃଆରୀ ମାସ ଯାଏଁ ପିଆଜର ମୂଲ୍ୟ କମିବା ଭଳି ମନେ ହେଉନାହିଁ । ରାଜସ୍ଥାନ, ଗୁଜୁରାଟ , ମହାରାଷ୍ଟ୍ର ଓ କର୍ଣ୍ଣାଟକ (ଯେଉଁଠାରେ କି ସର୍ବାଧିକ ପିଆଜ ଉତ୍ପାଦିତ ହୋଇଥାଏ) ଆଦି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ହୋଇଯାଇଛି । ଏହା ସହ ବେପାରୀ ମାନେ ବି କଳା ବଜାରୀ କରିବାରେ ଲାଗିଛନ୍ତି । ଅନ୍ୟପଟେ କରୋନା କାଳରେ ବନ୍ଦଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିଯିବା ଫଳରେ ବି ପିଆଜର ଚାହିଦା ବଢିଛି । ଏହି କାରଣରୁ ପିଆଜର ଦର ବୃଦ୍ଧି ପାଇବାରେ ଲାଗିଛି ।
୧୪ ଅକ୍ଟୋବର ଦିନ ଦେଶର ବିଭିନ୍ନ ସ୍ଥାନରେ ପିଆଜ ବେପାରୀଙ୍କ ଉପରେ ଆୟକର ବିଭାଗ ଚଢାଉ କରିଥିଲା । ଏହା ପରେ ମଣ୍ଡିକୁ ବେପାରୀ ମାନେ ଆସୁନଥିଲେ କି ମଣ୍ଡି ଖୋଲୁ ନଥିଲା । ମାତ୍ର ସୋମବାର ଦିନ ମଣ୍ଡି ଖୋଲିବା ପରେ ପିଆଜ କୁଇଣ୍ଟାଲ ପ୍ରତି ୨ ହଜାର ଟଙ୍କା ଅଧିକ ମୂଲ୍ୟରେ ବିକ୍ରି ହୋଇଛି ।
ଅନ୍ୟପଟେ ସରକାର ଆଳୁ, ପିଆଜକୁ ଅତ୍ୟାବଶକୀୟ ସାମଗ୍ରୀ ତାଲିକାରୁ ବାଦ୍ ଦେବା ପରେ ଏହାର ବଜାର ନିୟନ୍ତ୍ରଣ କ୍ଷମତା ସରକାର ହରାଇଛନ୍ତି । ତେଣୁ ବେପାରୀ ମାନେ କଳାବଜାରୀ କରିବାର ସୁଯୋଗ ପାଇଛନ୍ତି ।