ନିର୍ବାଚନୀ ରାଜନୀତିରେ ପିଆଜର ଏଂଟ୍ରି । ଦରଦାମ ବୃଦ୍ଧିକୁ ନେଇ ଉଠୁଛିପଡୁଛି ବିହାର । ପିଆଜର ମାଳ ପିନ୍ଧି ଲୋକଙ୍କୁ ଅନ୍ଧାରୀ ଶାସନର ଆଇନା ଦେଖାଇଲେ ବିରୋଧୀ ।

504

କନକ ବ୍ୟୁରୋ : ସରକାରୀ ଚାକିରି ଓ ମାଗଣା କରୋନା ଟିକା ପରେ ବିହାର ନିର୍ବାଚନୀ ରାଜନୀତିରେ ହୋଇଛି ପିଆଜର ଏଂଟ୍ରି । ଦରଦାମ ବୃଦ୍ଧିକୁ ନେଇ ପୁଣି ଘେରାବନ୍ଦୀ କରିଛନ୍ତି ବିରୋଧୀ ପକ୍ଷ । ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନରେ ପିଆଜର ମାଳ ପିନ୍ଧି ଲୋକଙ୍କୁ ଅନ୍ଧାରୀ ଶାସନର ଆଇନା ଦେଖାଇଛନ୍ତି । ଜନମତକୁ ପ୍ରଭାବିତ କରିବାକୁ ଗୋଟିଏ ପରେ ଗୋଟିଏ ମାଷ୍ଟ୍ରର ଷ୍ଟ୍ରୋକ ମାରି ଚାଲିଛନ୍ତି ଆରଜେଡି ନେତା । ଆଉ ତେଜସ୍ୱୀଙ୍କ ଚ୍ୟାଲେଞ୍ଜ ଏନଡିଏ ମେଂଟ ପାଇଁ ନିର୍ବାଚନକୁ ଜଟିଳ କରିବାରେ ଲାଗିଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସମୟ ସରି ସରି ଯାଉଥିଲା । ଆଉ ବିହାର ବିଧାନସଭା ପାଇଁ ଭୋଟ ପଡିବା ପୂର୍ବରୁ ପୁଣି ଏକ ପ୍ରସଙ୍ଗ ଧରାଇ ଦେଇଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ବିହାର ପଲିଟିକ୍ସରେ ପିଆଜର ଏଂଟ୍ରି ମହାମେଂଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ ହିଁ କରାଇଥିଲେ । ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ଜେଡିୟୁ ଓ ବିଜେପି ବିରୋଧରେ ଜନମତ ସୃଷ୍ଟି କରିବାକୁ ଶେଷ ମୂହୁର୍ତ୍ତରେ ପ୍ରୟାସ କରିଥିଲେ ।

ବିହାରରେ ପିଆଜ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ତେଜସ୍ୱୀ ପ୍ରତିପକ୍ଷଙ୍କୁ କନ୍ଦାଇବାକୁ ପ୍ରୟାସ କରିଛନ୍ତି । ତେଜସ୍ୱୀଙ୍କ ପିଆଜ ପ୍ରସଙ୍ଗ ୧୯୯୮ରେ ଦେଶର ରାଜଧାନୀ ଦିଲ୍ଲୀର ଚିତ୍ର ମନେ ପକାଇ ଦେଇଛି । ନିର୍ବାଚନରେ ପିଆଜ ଦରକୁ ପ୍ରସଙ୍ଗ କରି ଘେରିଥିଲା କଂଗ୍ରେସ । ସେତେବେଳେ ବିଜେପିର ସରକାର ଥିଲା । କିନ୍ତୁ ନିର୍ବାଚନରେ ବିଜେପିକୁ ପରାଜୟର ଏମିତି ସାମ୍ନା କରିବାକୁ ପଡିଲା ଯେ, ନେତାଙ୍କ ଆଖିରେ ଲୁହ ଆସିଗଲା । ହେଲେ କୁହାଗଲା ଏହା ପିଆଜର ଲୁହ, ଯାହା ନେତାଙ୍କ ଆଖିରୁ ଝରୁଛି ।

ସାରା ଦେଶରେ ପିଆଜର ଦର ଆକାଶଛୁଆଁ ହେବାରେ ଲାଗିଛି । ବର୍ତମାନର ପିଆଜ ଦର ଆଗ, ପଛ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଖୁବଶୀଘ୍ର ବିହାରରେ ପିଆଜ ଦର ସେଂଚୁରୀ ମାରିବା ଆଶଙ୍କା କରାଯାଉଛି । ଦେଶରେ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ଖୋଦ ମୋଦି ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି । ହେଲେ କୁହାଯାଉଛି କେନ୍ଦ୍ରରେ ମୋଦି ସରକାର କୃଷକଙ୍କ ପାଇଁ ଆଣିଥିବା ନୂଆ ବିଲ କାରଣରୁ ଦେଶରେ ପିଆଜ ପରି ଅନ୍ୟାନ୍ୟ ପନିପରିବା ଓ ଖାଦ୍ୟ ଶସ୍ୟର ଦର ମହଙ୍ଗା ହେବାରେ ଲାଗିଛି । କୃଷି କ୍ଷେତ୍ରରେ କର୍ପୋରେଟ ଜଗତର ଏଂଟ୍ରି ଗରିବ ଓ ମଧ୍ୟବିତଙ୍କ ପକେଟ କଣା କରିବାରେ ଲାଗିଛି । ଉପରକୁ ଦେଖାଯାଉନଥିବା ଏହି ପ୍ରସଙ୍ଗ ସରକାର ବିରୋଧୀ ଜନମତକୁ ଇନ୍ଧନ ଦେଉଥିବା ମଧ୍ୟ କଳ୍ପନା କରାଯାଉଛି ।