କେବଳ ସ୍ୱାଦ ପାଇଁ ନୁହେଁ ଅନେକ ରୋଗର ବଇଦ ପିଆଜ ରସ, ଜାଣନ୍ତୁ କିପରି ।

240

କନକ ବ୍ୟୁରୋ: ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ପିଆଜ ପ୍ରଥମେ ଆବଶ୍ୟକ ହେଉଥିବାବେଳେ ଏହାକୁ ନେଇ ଅନେକ ରୋଗର ଚିକିତ୍ସା ମଧ୍ୟ କରାଯାଏ । ପିଆଜର ରସ ଅନେକ ରୋଗ ପାଇଁ ଲାଭଦାୟୀ । ପିଆଜରୁ ଭିଟାମିନ୍ ସି, ବି-୬, ମ୍ୟାଗ୍ନେସିୟମ, ଜିଙ୍କ, କ୍ୟାଲସିୟମ୍, ସୋଡିୟମ, ପୋଟାସିୟମ ଆଦି ମିଳୁଥିବାବେଳେ ଏହା ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବାରେ ଗୁରୁ ଦାୟିତ୍ୱ ବହନ କରେ । ଖାଦ୍ୟ ହଜମ ପାଇଁ ଏହା ସହାୟକ ହୋଇଥାଏ । ପିଆଜ ରସ କୋଲେଷ୍ଟ୍ରଲ ହ୍ରାସ କରିବା ସହ ହୃଦଘାତ ଆଶଙ୍କାକୁ ଅନେକ ମାତ୍ରାରେ କମାଇଥାଏ ।

ଏହ ବ୍ୟତୀତ ପିଆଜରେ ଆଣ୍ଟି ଆଲର୍ଜି, ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଥିବାରୁ ଏହାର ରସ ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରଖିିଥାଏ । ଯାହାଦ୍ୱାରା ଡାଏବେଟିସ୍ ସମସ୍ୟାକୁ ଏଡାଇଦିଆଯାଇପାରେ ।

ପିଆଜରେ ମିଳୁଥିବା ପୋଷକ ତ୍ତ୍ୱ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ସହ ଶରୀରକୁ ସୁସ୍ଥ ରହେ । ଏହାକୁ କଞ୍ଚା ଖାଇଲେ ରକ୍ତ ମଧ୍ୟ ପରିଷ୍କାର ହୁଏ । ସୋରିଷ ତେଲକୁ ପିଆଜ ରସ ସହିତ ମିଶାଇ ମାଲିସ କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ପିଆଜରେ ଭିଟାମିନ୍ ଏ, ସି ଓ ଇ ଥିବାରୁ ଏହା ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣି ରଶ୍ମି (ଯାହା ଚର୍ମ ପାଇଁ କ୍ଷତିକାରକ ହୋଇଥାଏ)ଠାରୁ ଆମକୁ ସୁରକ୍ଷା ଦେଇଥାଏ । ଏହା ସହ ଚର୍ମକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରେ ।

ପିଆଜ ରସକୁ ମୁହଁରେ ଟୋନର ଭଳି ଲଗାଇଲେ ଏହା ମୁହଁରେ ଥିବା ଦାଗକୁ ଦୂର କରେ । ଏହାଛଡା ସୁସ୍ଥ ଓ ଘନ କେଶ ପାଇଁ ଏହାର ଗୁରୁତ୍ୱ ତ ଅଳ୍ପେ ଅଧିକେ ସମସ୍ତଙ୍କୁ ଜଣାଥିବ । ପିଆଜରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ରହିଛି, ଯାହାକି କେଶରେ ଥିବା ଜୀବାଣୁ ସମସ୍ୟା ଦୂର କରିଥାଏ । ଏଥିରେ ଅଧିକ ପରିମାଣର ସଲଫର ଥିବାରୁ ଏହା ରକ୍ତ ସଂଚାଳନରେ ଉନ୍ନତି ଆଣିଥାଏ ଓ କେଶ ଝଡିବା ବନ୍ଦ କରିବା ସହ ଉପୁଡିଯାଇଥିବା କେଶ ସ୍ଥାନରେ ନୂଆ କେଶ ଉଠିବାରେ ସହାୟକ ହୋଇଥାଏ ।