ଖସୁଛି ପିଆଜ ଦର ତଥାପି ପକେଟ ଉପରେ ମାଡ । ଆଜି ପୁରୀ ଓ ପିପିଲିରେ ପିଆଜ କିଲୋ ୮୦ ଟଙ୍କା । ଖାଉଟି ସାମାନ୍ୟ ଆଶ୍ୱସ୍ତ

Advertisment
ଖସୁଛି ପିଆଜ ଦର ତଥାପି ପକେଟ ଉପରେ ମାଡ । ଆଜି ପୁରୀ ଓ ପିପିଲିରେ ପିଆଜ କିଲୋ ୮୦ ଟଙ୍କା । ଖାଉଟି ସାମାନ୍ୟ ଆଶ୍ୱସ୍ତ

କନକ ବ୍ୟୁରୋ: ଖସୁଛି ପିଆଜ ଦର । ଆଜି ପୁରୀ ଓ ପିପିଲିରେ ପିଆଜ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଛି । ସେହିପରି କଟକରେ ୧୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ, ବାଲେଶ୍ୱରରେ ୧୩୦, ଖୋର୍ଦ୍ଧାରେ ୧୧୦ରୁ ୧୨୦ ଟଙ୍କା, ବାରିପଦାରେ ୧୨୦, ରାୟଗଡାରେ ୧୦୦ ରୁ ୧୧୦ ଓ ଜଗତସିଂହପୁରରେ ୧୨୦ ଟଙ୍କା ରହିଛି କିଲୋପିଛା ଦର । ପିଆଜ କିଲୋ ପିଛା ଦର ଟିକେ କମିବା ପରେ ଏହା ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି । ତେବେ ଏବେ ବି ପିଆଜ ଦର ଅଧିକାଂଶ ସ୍ଥାନରେ ୧୦୦ ଉପରେ ରହୁଥିବାରୁ ଏହା ପକେଟ ଉପରେ ମାଡ କରୁଛି ।

ଅନ୍ୟପଟେ, ଚଳିତମାସ ଶେଷ ସପ୍ତାହ କିମ୍ବା ଆସନ୍ତା ଜାନୁଆରି ପ୍ରଥମ ସପ୍ତାହ ବେଳକୁ ପିଆଜ ଦର କମିବା ନେଇ ଆଶ୍ବାସନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଶ୍ରୀ ସ୍ବାଇଁ କହିଥିଲେ, ସାରା ଦେଶରେ ଚଳିତ ବର୍ଷ ପିଆଜ ଉତ୍ପାଦନ କମ ହୋଇଛି। ଯେଉଁ ଚାଷୀ ୩ ଟନ୍ ଉତ୍ପାଦନ କରୁଥିଲା ଖରାପ ପାଣିପାଗ ଯୋଗୁଁ ୧୫ କ୍ବିଣ୍ଟାଲ ଉତ୍ପାଦନ କରିଛି। ପୂର୍ବରୁ ଓଡ଼ିଶାକୁ ଦୈନିକ ୫୦ ଟ୍ରକ୍ ପିଆଜ ଆସୁଥିଲା କିନ୍ତୁ ଏବେ ଆଦୌ ପିଆଜ ଟ୍ରକ୍ ଆସୁନି। ନୂଆ ପିଆଜ ଉତ୍ପାଦନ ଏବେ ଆରମ୍ଭ ହୋଇଛି।

ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଛି। ସାରା ଦେଶରେ ଦୈନିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଦରକାର। ପିଆଜର ଉତ୍କଟ ସମସ୍ୟା ଦେଖାଦେବା ପରେ କେନ୍ଦ୍ର ସରକାର ବିଦେଶରୁ ମାତ୍ର ୧ ଲକ୍ଷ ମେଟ୍ରିକ ଟନ୍ ଦୈନିକ ଆମଦାନୀ କରୁଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ। ପିଆଜ ଉତ୍ପାଦନ ପାଇଁ ଚାଷୀଙ୍କୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେବା କଥା। ପିଆଜ ଚାଷୀଙ୍କୁ ଅଧିକ ସୁବିଧା ଦେବାକୁ ହେବ। ଏହି ବର୍ଷ ରାଜ୍ୟରେ ୨୬% କମ ପିଆଜ ଚାଷ ହୋଇଛି ବୋଲି କହିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe