କରୋନା କାଳରେ ଚିନ୍ତାରେ କୃଷକ : କେବେ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ୨ ରୁ ୬ ଟଙ୍କା ଭିତରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

881

୬ ମାସ ପୂର୍ବରୁ ଭାଉ ବଢାଉଥିବା ପିଆଜର ଚମକ ଆଜି ମଳିନ ପଡିଛି । ୧୦୦ ଟଙ୍କାରେ ବିକ୍ରି ହେଉଥିବା ପିଆଜର ମୂଲ୍ୟ ଆଜି ୨ ରୁ ୬ ଟଙ୍କା ଭିତରେ ସୀମିତ ହୋଇ ରହିଯାଇଛି । କରୋନା ମାଡର ଭୟ ପିଆଜର ଭାଉକୁ କମେଇଦେଇଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଚାରିଆଡ଼ୁ ପେଶି ହେଉଛି ପିଆଜ ଚାଷୀ । ୬ ମାସ ପୂର୍ବରୁ ୧୦୦ ଟଙ୍କା କିଲୋରେ ବିକ୍ରି ହେଉଥିବା ପିଆଜ ଏବେ ୨ ରୁ ୬ ଟଙ୍କା ଭିତରେ ବିକ୍ରି ହେଉଛି । ମଣ୍ଡିରେ ପିଆଜର ଦର ଏତେ ମାନ୍ଦା ହୋଇଛି ଯେ ମୂଳ ବି ବାହାର କରିପାରୁନାହିଁ ଚାଷୀ । ବିହନର ଦାମ୍ ବଢୁଥିବାବେଳେ ପିଆଜର ଦର କମିଯାଉଛି । ଚାଷୀ ଯଦି ୮ ଟଙ୍କା ଖର୍ଚ୍ଚ କରି ବିହନ ବୁଣୁଛି ତେବେ ସେଥିରୁ ୨ ଟଙ୍କା ପାଉଛି । ଋଣ କରି ପିଆଜ ଚାଷ କରିଥିବା ଚାଷୀ ଏବେ ଧାରକରଜରେ ବୁଡିଯାଇଛି ।

ପିଆଜ ଚାଷରେ ବିହନ,ଖାଦ,କିଟନାଶକ,ଶ୍ରମ,ମଣ୍ଡି ସବୁ ମିଶାଇ ପାଖାପାଖି ୫୧ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଏଭଳି ଅବସ୍ଥାରେ ଚାଷୀ ଋଣ କରି ଚାଷ କରୁଛି କିନ୍ତୁ ଲାଭ ଯଦି ପାଉନାହିଁ ତେବେ ତା’ ପାଖରେ ଆତ୍ମହତ୍ୟା ଅପେକ୍ଷା ଅନ୍ୟ କୌଣସି ବାଟ ରହିବନାହିଁ । ଏନେଇ ପିଆଜଚାଷୀ ଏବେ ସରକାରଙ୍କ ସମର୍ଥନ ଲୋଡିଛନ୍ତି । ଚାଷୀଙ୍କ ଦୁଃଖ ସରକାର ନ ବୁଝିଲେ ତାଙ୍କ ପରିବାର ଭୋକଉପାସରେ ମରିଯିବେ ବୋଲି କହିଛନ୍ତି । ତେବେ ଏନେଇ ସରକାର ଚାଷୀଙ୍କୁ ସାନ୍ତ୍ୱନା ଦେଉଥିବା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ।