କନକ ବ୍ୟୁରୋ : ଅମଳ ପିଆଜ ରଖିବାକୁ ଜାଗା ନାହିଁ । ଶାଗମାଛ ଦରରେ ବିକୁଛନ୍ତି ପିଆଜ ଚାଷୀ । କଳାହାଣ୍ଡି କୋକସରା ବ୍ଳକର ବିଭିନ୍ନ ଅଂଚଳରେ ଚାଷୀ ପିଆଜ ଚାଷ କରି ଲାଭବାନ୍ ହେଉଛନ୍ତି । ଟେମରା , ଆମପାଣିରୁ ନେଇ କାଶୀବାହାଲ ଓ ଗମ୍ଭୀରାଗୁଡାରେ ଅଧିକାଂଶ ଚାଷୀ ପିଆଜ ଚାଷ କରିଥିଲେ । ଅନୁକୁଳ ପାଗ ସହିତ ଉର୍ବର ମାଟିରେ ହେକ୍ଟର ହେକ୍ଟର ଚାଷଜମିରେ ପିଆଜ ଚାଷ ହୋଇଛି । ତେବେ ଏତେ ପରିମାଣର ଅମଳ ପିଆଜ ରଖିବାକୁ ଆବଶ୍ୟକ ସ୍ଥାନ ନାହିଁ । ଶୀତଳ ଭଣ୍ଡାର ନଥିବାରୁ ପିଆଜ ସଂରକ୍ଷଣ କରାଯାଇପାରୁନି । ଚଳିତଥର ଶହେ ହେକ୍ଟରରୁ ଅଧିକ ଜମିରେ ଚାଷ କରାଯାଇଛି । ପିଆଜ ଅମଳ ହୋଇଥିବା ବେଳେ ସଂଗ୍ରହରେ ଲାଗିପଡିଛନ୍ତି ଚାଷୀଙ୍କ ପୁରା ପରିବାର । ତେବେ ରଖିବାକୁ ଜାଗା ନଥିବା ସହ ଅଦର ଦରରେ ବିକ୍ରି ହେଉଛି ପିଆଜ ।
ଡହ ଡହ ଖରାରେ ବିଲରୁ ପିଆଜ ସବୁ ସଂଗ୍ରହ କରୁଛନ୍ତିି ଚାଷୀ । ହେଲେ ବେପାରୀ ସବୁ ପିଆଜ କମ୍ ଦରରେ କିଣି ନେଉଛନ୍ତି । କୁଇଂଟାଲ ପ୍ରତି ବାରଶହରୁ ନେଇ ତେରଶହ ପର୍ଯ୍ୟନ୍ତ ଟଙ୍କାରେ କିଣୁଛନ୍ତି । କାଲି ସେତିକି ନୁହେଁ ଅଦିନିଆ ବର୍ଷାରେ ମଧ୍ୟ ବହୁ ପିଆଜ ଚାଷ ନଷ୍ଟ ହେବାରେ ଲାଗିଛି । ଯାହାର ପୁରା ଫାଇଦା ଉଠାଉଛନ୍ତି ଦଲାଲ ମାନେ । ଶଗମାଛ ଦରରେ ଚାଷୀଙ୍କ ଠାରୁ ପିଆଜ କିଣି ନେଉଥିବା ବେଳେ କ୍ଷତିରେ ପଡିଛନ୍ତି ଚାଷୀ ମାନେ । ସେପଟେ ପିଆଜ ସଂରକ୍ଷିତ କରିବାକୁ ଶୀତଳ ଭଣ୍ଡାର ପାଇଁ ଦାବି କରିଛନ୍ତି ପିଆଜ ଚାଷୀ ।
ଅମଳ ଫସଲ ନଷ୍ଟ ହୋଇ ଚାଷୀ କ୍ଷତିରେ ପଡୁଥିବା ବେଳେ ଖୁବଶୀଘ୍ର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର କରାଯିବା ଜରୁରୀ ହୋଇପଡିଛି ।