କଂଗ୍ରେସ ଛାଡିବା ପରେ ବଦଳିଲା କୁଣ୍ଡଳୀ । ୪ ନେତା ଏବେ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ କିଏ ଏହି ନେତା …

451

କନକ ବ୍ୟୁରୋ : କଂଗ୍ରେସ ଛାଡିବା ପରେ ବଦଳିଲା କୁଣ୍ଡଳୀ । ବିଜେପିରେ ମିଶିବା ପରେ  ମୁଖ୍ୟମନ୍ତ୍ରୀ । କେବଳ ତ୍ରିପୁରରା ନୂଆ ମୁଖ୍ୟମନ୍ତ୍ରୀ ମାଣିକ ସାହା ନୁହେଁ ଏଭଳି ଅନେକ ନେତା ଅଛନ୍ତି ଯାହାଙ୍କୁ କଂଗ୍ରେସରେ ସୁଯୋଗ ନମିଳିବା ପରେ ବିଜେପିରେ ସେମାନେ ଆଜି ସିଏମ ହୋଇପାରିଛନ୍ତି । ତ୍ରିପୁରାରେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ତେବେ ମାତ୍ର କିଛି ଘଣ୍ଟାପରେ ମାଣିକ ସାହା ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଥିଲା । ପୂର୍ବରୁ ସେ କଂଗ୍ରେସରେ ଥିଲେ । କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ସେ ରାଜ୍ୟର ସଭାପତି ହୋଇଥିଲେ । ପରେ ସେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ । ଏବେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି ।

ହିମନ୍ତ ବିଶ୍ୱଶର୍ମା, ଆସାମ ମୁଖ୍ୟମନ୍ତ୍ରୀ
ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ୨୦୨୧ରେ ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସର୍ବାନନ୍ଦ ସୋନୱାଲଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୫ରେ ହିମନ୍ତ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ୨୦୧୬ ବିଧାନସଭା ନିର୍ବାଚନ, ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିଥିଲା । ବିଜେପିରେ ସେ ଯୋଗଦେବା ପରେ ସଂଗଠନକୁ ସୁଦୃଢ କରିବା ସହ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଲଗାତର ୫ ଥର ପାଇଁ ସେ ଜୁଲକୱାଡି ଆସନରୁ ବିଜୟୀ ହୋଇ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ୨୦୨୧ ବିଧାନସଭା ନିର୍ବାଚନରେ ସରମା ଆସନରୁ ୧ ଲକ୍ଷ ଭୋଟରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପି ତାଙ୍କୁ ନର୍ଥ-ଇଷ୍ଟ ଡେମୋକ୍ରାଟିକ ଆଲାୟନ୍ସର ସଂଯୋଜକ ନିଯୁ୍କ୍ତ କରିଥିଲା । ଉତ୍ତର ପୂର୍ବ ରାଜ୍ୟରେ ବିଜେପିକୁ ସରକାରରେ ଆଣିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।
ଏନ ବିରେନ ସିଂ. ମଣିପୁର ମୁଖ୍ୟମନ୍ତ୍ରୀ
ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ୨୦୧୬ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ୨୦୧୭ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୧୫ ବର୍ଷ ପରେ ଅଣ କଂଗ୍ରେସ ଦଳ ମଣିପୁରରେ ସରକାର ଗଠନ କରିଥିଲେ । ବିଜେପି ତାଙ୍କୁ ଏଥିପାଇଁ ପୁରସ୍କାର ଦେବା ସହ ସିଏମ ଆସନରେ ବସାଇଥିଲା । ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଏନ ବିରେନ ସିଂ ଶପଥ ନେଇଥିଲେ । ବିରେନ ସିଂ ପୂର୍ବରୁ ଇବୋବି ସିଂ ସରକାରରେ ମନ୍ତ୍ରୀ ରହିଥିଲେ । ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ସେ କଂଗ୍ରେସକୁ ଅଲବିଦା କରିଥିଲେ । ହିଙ୍ଗାଙ୍ଗ ଆସନରୁ ସେ ଲଗାତର ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ନେଫ୍ୟୁ ରିଓ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ
ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଯିଏ ଲଗାତର ତିନୋଟି ନିର୍ବାଚନ ଜିତିଛନ୍ତି । ରିଓ ପୂର୍ବରୁ କଂଗ୍ରେସରେ ଥିଲେ । ୨୦୦୨ରେ କଂଗ୍ରେସ ଛାଡି ସେ ଏନପିଏଫରେ ଯୋଗଦେଇଥିଲେ । ସେହି ସମୟରେ ତତକାଳୀନ ମୁଖ୍ୟମନ୍ତ୍ରୀ ଏସସି ଜମିରଙ୍କ ସହ ମତଭେଦ ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏନଫିଏ ଆଞ୍ଚଳିକ ଦଳ ଭାବେ ବିଜେପି ସହ ଯୋଡିହୋଇଛି । ରିଓଙ୍କ ନେତୃତ୍ୱରେ ଡେମୋକ୍ରାଟିକ ଆଲାଏନ୍ସ ଅଫ ନାଗାଲାଣ୍ଡର ଗଠନ କରାଯାଇଥିଲା । ୨୦୦୩ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହା ପରେ କଂଗ୍ରେସ ୧୦ ବର୍ଷ ଶାସନରୁ ବାହାରେ ରହିଥିଲା । ନେଫ୍ୟୁ ରିଓ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୩ରେ ପୁଣି ଥରେ ତାଙ୍କ ଦଳ ବିଜୟୀ ହୋଇଥିଲା ଆଉ ପୁଣି ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୨୦୧୮ରେ ସେ ବିଜେପି ସହ ନିଜର ସମ୍ପର୍କ ଛିନ୍ନ କରିଥିଲେ । ଏନଡିପିପିରେ ସାମିଲ ହୋଇଥିଲେ । ତେବେ ନିର୍ବାଚନର ଠିକ୍ ଆଗରୁ ବିଜେପିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ମାଣିକ ସାହା, ତ୍ରିପୁରା ମୁଖ୍ୟମନ୍ତ୍ରୀ
ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାଣିକ ସାହା କଂଗ୍ରେସ ଛାଡି ୨୦୧୬ରେ ବିଜେପିରେ ସାମିଲ ହୋଇଥିଲେ । ବିଜେପିରେ ସେ ଯୋଗଦେବାର ୪ ବର୍ଷ ପରେ ତାଙ୍କୁ ରାଜ୍ୟ ସଭାପତି କରାଯାଇଥିଲା । ଏହା ପରେ ସେ ତ୍ରିପୁରା କ୍ରିକେଟ ଆସୋସିଏସନର ସଭାପତି ହୋଇଥିଲେ । ନିକଟରେ ତାଙ୍କୁ ରାଜ୍ୟସଭାକୁ ମଧ୍ୟ ଦଳ ପଠାଇଥିଲା । ବର୍ତ୍ତମାନ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି ।