ସ୍ମୃତିଙ୍କ ତଥ୍ୟରେ ନାହିଁ ତାଳମେଳ । ୨୦୧୪ରେ କହିଥିଲେ ସ୍ନାତକ ଶେଷ, ୧୯ରେ କହିଲେ ଦ୍ୱାଦଶ ପାସ୍ । କେଉଁଟା ସତ, ପ୍ରଶ୍ନ ଉଠାଇଲା କଂଗ୍ରେସ

853

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଉତରପ୍ରଦେଶ ଆମେଠିରୁ ଲୋକସଭା ନିର୍ବାଚନ ଆସନରୁ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏହିକ୍ରମରେ ଗତକାଲି ରାହୁଲ ଏବଂ ସ୍ମୃତି ନିଜ ନିଜର ନାମାଙ୍କନ ଭରିଛନ୍ତି । ତେବେ ଏହି ସମୟରେ ସ୍ମୃତି ନିଜ ସତ୍ୟପାଠରେ ଦର୍ଶାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ନେଇ ସେ ପୁଣି ଥରେ ବିରୋଧୀଙ୍କ ନଜରକୁ ଚାଲିଆସିଛନ୍ତି । କାହିକିଁ ନା ଉଚ୍ଚ ଶିକ୍ଷା ତଥା ନିଜକୁ ସବୁବେଳେ ଜଣେ ଡିଗ୍ରୀଧାରୀ ନେତ୍ରୀ ବୋଲି କହି ଡିିଡିମ୍ବ ପିଟୁଥିବା ସ୍ମୃତି ଇରାନୀ ଦାଖଲ କରିଥିବା ସତ୍ୟପାଠରେ ନିଜର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପାସ୍ ବୋଲି ଉଲ୍ଲେଖ କରିଛନ୍ତି । ଯାହାକୁ ଅନ୍ତ୍ର କରି କଂଗ୍ରେସ ସ୍ମୃତି ଇରାନୀଙ୍କୁ କଡା ଭାଷାରେ ସମାଲୋଚନା କରିଛି । ପ୍ରକୃତରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୂର୍ବରୁ ମଧ୍ୟ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିରୋଧୀମାନଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ଦେଖିବାକୁ ମିଳେ। ଗତକାଲି ସ୍ମୃତି ଇରାନୀ ଆମେଠିରୁ ଭରିଥିବା ନାମାଙ୍କନ ପତ୍ରରେ ଯେଉଁ ସତ୍ୟପାଠ ଦେଇଛନ୍ତି ସେଥିରେ ସେ ଦର୍ଶାଇଛନ୍ତି ଯେ, ସେ ସ୍ନାତକ ଶେଷ କରିନାହାନ୍ତି। ୧୯୯୧ରେ ସେ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ପାସ୍ କରିଥିଲାବେଳେ ୧୯୯୩ରେ ଉଚ୍ଚ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୯୪ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଓପନ ଲର୍ନିଂ ସ୍କୁଲରୁ ସ୍ନାତକ ଶେଷ କରି ନ ଥିବା ସ୍ମୃତି ଇରାନୀ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

କିନ୍ତୁ ୨୦୧୪ ନିର୍ବାଚନରେ ସ୍ମୃତି ଇରାନୀ ଦେଇଥିବା ସତ୍ୟପାଠରେ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ୧୯୯୪ରେ ସ୍ନାତକ ପାସ୍ କରିଥିବା ଦର୍ଶାଇଥିଲେ। ସେତେବେଳେ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଜୋର ଧରିଥିଲା ବିବାଦ ।