ଓଏନଜିସିର ୩ କର୍ମଚାରୀ ସନ୍ଦିଗ୍ଧ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ଅପହୃତ । ପରିତ୍ୟକ୍ତ ଗାଡି ଉଦ୍ଧାର । 

211
କନକ ବ୍ୟୁରୋ : ଆସାମର ଶିବନଗର ଜିଲ୍ଲା ଅନ୍ତର୍ଗତ ଲକୁଓ୍ଵା ଅଏଲ୍‌ ଫିଲଡ୍‌ର ଏକ ଖନନସ୍ଥଳରୁ ବୁଧବାର ପ୍ରତ୍ୟୁଷରେ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀମାନେ ‘ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍‌ ଲିମିଟେଡ୍‌’ (ଓଏନ୍‌ଜିସି)ର ୩ଜଣ କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି। ‘ଓଏନଜିସି’ର ଦୁଇଜଣ ଜୁନିଅର୍‌ ଇଞ୍ଜିନିୟର୍‌ ଆସିଷ୍ଟାଣ୍ଟ୍‌ ଏବଂ ଜଣେ ଜୁନିୟର୍‌ ଟେକ୍ନିସିଆନଙ୍କୁ ଦଳେ ସଶସ୍ତ୍ର ଆତଙ୍କବାଦୀ ‘ଓଏନଜିସି’ର ଗୋଟାଏ ‘ଅପରେସନାଲ୍‌’ ଗାଡ଼ିରେ ଅପହରଣ କରି ନେଇଛନ୍ତି।
ପରେ ଉକ୍ତ ଗାଡ଼ିଟି ଆସାମ-ନାଗାଲାଣ୍ଡ୍‌ ସୀମାନ୍ତ ନିକଟ ନିମୋନଗର ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ମିଳିଛି। ଲକୁଓ୍ଵା ଅଞ୍ଚଳର ରୋମୋନିଆ ଖନନସ୍ଥଳରୁ ଆତଙ୍କବାଦୀମାନେ ‘ଓଏନଜିସି’ର ଉକ୍ତ ୩ଜଣ କର୍ମଚାରୀଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତ କର୍ମଚାରୀମାନେ ହେଲେ, ମୋହିନୀ ମୋହନ ଗୋଗୋଇ, ଋତୁଲ ସାଇକିଆ ଏବଂ ଅଲକେଶ ସାଇକିଆ। ‘ଓଏନଜିସି’ ସ୍ଥାନୀୟ ଥାନାରେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଛି।
ଶିବନଗର ଜିଲ୍ଲା ପୁଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମିତାଭ ସିହ୍ନା କହିଛନ୍ତି, ଲକୁଓ୍ଵା ଅଏଲ୍‌ ଫିଲଡର ଖନନସ୍ଥଳରୁ ସଶସ୍ତ୍ର ଆତଙ୍କବାଦୀ ସଙ୍ଗଠନ ‘ଓଏନଜିସି’ର କର୍ମଚାରୀମାନଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତ କର୍ମଚାରୀମାନଙ୍କୁ ଉଦ୍ଧାର କରିବା ଲାଗି ଆମେ ଅଭିଯାନ ଆରମ୍ଭ କରି ସମସ୍ତ ସନ୍ଦିଗ୍ଧ ଅଞ୍ଚଳକୁ କର୍ଡନ୍‌ କରିଛୁ। ଏହା କେଉଁ ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟ, ତାହା ଜଣାପଡ଼ିନାହିଁ।