କନକ ବ୍ୟୁରୋ: ଅସ୍ତରଙ୍ଗ ଅଂଚଳ ପାଇଁ ନୂଆ ଆଶାର ଆଲୋକ । ଦେବୀ ମୁହାଣଠାରୁ ଗଭୀର ସମୁଦ୍ରରେ ଓଏନଜିସି ପକ୍ଷରୁ ତେଲ, ପ୍ରାକୃତିକ ଗ୍ୟାସ ଓ ଭୂମିକମ୍ପ ସମ୍ବନ୍ଧୀୟ ସ୍ଥିତିକୁ ନେଇ ସର୍ବେକ୍ଷଣ ଆରମ୍ଭ ହୋଇଛି । ଋଷର ୩ଟି ଜାହାଜରେ ୨ ଶହରୁ ଅଧିକ ଇଞ୍ଜିନିୟର ଏହି କାମରେ ନିୟୋଜିତ ହୋଇଛନ୍ତି । ମେ ୨୫ ଯାଏଁ ଏହି ସର୍ବେକ୍ଷଣ ଚାଲିବ । ଏଥିପାଇଁ ଜଳଯାନ ଦ୍ୱାରା ସମଦ୍ର ଭିତରେ ୮ ହଜାର ମିଟର ଲମ୍ବା ୧୦ଟି କେବୁଲ ବିଛାଇଦିଆଯିବ ।
ପ୍ରତ୍ୟେକ କେବୁଲର ଶେଷଭାଗରେ ୧୦ରୁ ୩୦ ମିଟର ଗଭୀର ଜଳମଧ୍ୟରେ ଏକ ଭାସମାନ ଜୀବନ ରକ୍ଷକ ସିଷ୍ଟମ ସହିତ ଏକ ଫ୍ଲାଶ ଲାଇନ ଜଡିତ ରହିବ । ସର୍ବେକ୍ଷଣ ସମୟରେ ସମୁଦ୍ର ଅଂଚଳରେ କୌଣସି ମାଛଧରା ଟ୍ରଲର ଓ ମଟର ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଅସ୍ତରଙ୍ଗ ବ୍ଲକର ଡାଳୁଅକଣି, ବଡଶିରେଇ ଓ ଜଗତସିଂହପୁର ଜିଲ୍ଲାର ନାଉଗାଁରେ ଅଂଚଳରେ ଏହି ସର୍ଭେ ଚାଲିବ । ସମୁଦ୍ରଗର୍ଭରେ କଣ ରହିଛି ତାର ବାସ୍ତବସ୍ଥିତି ଅନୁଧ୍ୟାନ କରିବ ଟିମ । ଏହି ସମୟରେ ସଚେତନ ରହିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛି ଓଏନଜିସି ।