ସାମ୍ନାରେ ଥିଲା ସଂକ୍ରମଣ, ସରକାରଙ୍କ ପାଇଁ ଥିଲା ଆହ୍ୱାନ । ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ ପାଇଁ ଆଜିର ଦିନରେ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିଲା ଓଡ଼ିଶା । 

159

କନକ ବ୍ୟୁରୋ : ୧୩ ମାର୍ଚ୍ଚ ୨୦୨୦ । ଆଜିକୁ ଠିକ୍ ବର୍ଷେ ତଳେ । ରାଜ୍ୟରେ କରୋନା ମହାମାରୀ ବିରୋଧରେ ଆରମ୍ଭ ହୋଇଥିଲା ମହାଲଢେଇ । ଆଉ ଏହି ଲଢେଇର ମଙ୍ଗ ଧରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ, ସଟଡାଉନ ଠାରୁ ଆରମ୍ଭ କରି ଟେଷ୍ଟିଂ ଓ ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ନିଷ୍ପତି ନେଇଥିଲେ ନବୀନ । ରାତାରାତି ଅସ୍ଥାୟୀ ମେଡିକାଲ ଶିବିର ଛିଡା କରିବା ଠାରୁ ଆରମ୍ଭ କରି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା । ତେବେ କରୋନା ଭୂତାଣୁକୁ ନାଶ କରିବାକୁ ନବୀନ ଯେଉଁ ପଦକ୍ଷେପ ହାତକୁ ନେଇଥିଲେ ତାହା ପରବର୍ତ୍ତୀ ସମୟରେ ଦେଶ ତଥା ବିଦେଶରେ ମହାମାରୀ ମୁକାବିଲାରେ ଓଡ଼ିଶାକୁ ରୋଲମଡେଲ ଭାବେ ସାମ୍ନାକୁ ଆଣିଥିଲା । ନୂଆ ଭାଇରସ ହୋଇଥିବାରୁ କେମିତି ଏହାର ମୁକାବିଲା କରାଯିବ ସେନେଇ ଅନ୍ୟ ରାଜ୍ୟ ଗୁଡିକ ଟେର ପାଉନଥିବା ବେଳେ ପୂରା ଦେଶକୁ କରୋନା ସହ ଲଢେଇ କରିବାର ଫର୍ମୁଲା ବତାଇଥିଲେ ନବୀନ । ଆଉ ଆଜିକୁ ଠିକ୍ ବର୍ଷେ ତଳେ ଆରମ୍ଭ ହୋଇଥିଲା ଏହି ଅଭିଯାନ ।

ଗୋଟିଏ ପଟେ ଦେଶରେ କରୋନାରେ ପ୍ରଥମ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ସାରିଥାଏ ଆଉ ଅନ୍ୟପଟେ ଏହାର କିଭଳି ମୁକାବିଲା କରାଯିବ ସେନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଥାଏ ପ୍ରସ୍ତୁତି  । ତେବେ କରୋନା କାୟା ମେଲାଇବା ପୂର୍ବରୁ କିଭଳି ଏହାକୁ ରୋକାଯାଇପାରିବ ସେନେଇ ପୂରା ଦେଶ ଶଙ୍କାରେ ପଡି ଯାଇଥିଲା । ଆଉ ଏଭଳି ଏକ କଠିନ ପରିସ୍ଥିତିରେ ନବୀନ ନେଇଥିଲେ ସାହସିକ ନିଷ୍ପତି । ୧୩ ମାର୍ଚ୍ଚରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ଶିକ୍ଷାନୁଷ୍ଠାନ ଏବଂ ସିନେମା ହଲ ଓ ସୁଇମିଂ ପୁଲ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ । ଆଉ ଏହାସହ ଲୋକଙ୍କ ମନରୁ କରୋନା ଭୟ ଦୂର କରିବାକୁ ଭାଇରସ ବାବଦରେ ଟିକିନିକି ତଥ୍ୟ ଦେବାକୁ ସୁବ୍ରତଙ୍କୁ ଏହି ଲଢେଇରେ ସାରଥୀ ଭାବେ ବାଛିଥିଲେ ନବୀନ ।

ପ୍ରଥମରୁ ହିଁ ଏହି ଲଢେଇ ମାସ ମାସ ଧରି ଚାଲିବ ବୋଲି ସୁବ୍ରତ ସ୍ପଷ୍ଟ କରିଥିଲେ । ଆଉ ଏସବୁ ଭିତରେ ଯେତେବେଳେ କରୋନା ସଂକ୍ରମଣ ବଢିଚାଲିଲା ସେତେବେଳେ ଏହାକୁ ରୋକିବାକୁ ଦେଶର ପ୍ରଥମ ରାଜ୍ୟ ଭାବେ ୫ ଜିଲ୍ଲାରେ ୭ ଦିନିଆ ଲକଡାଉନ ଘୋଷଣା କରିଥିଲେ ନବୀନ । ଆଉ ଏହାପରେ ନବୀନଙ୍କ ଏହି ଫର୍ମୁଲାକୁ ପୂରା ଦେଶରେ ଲାଗୁ କରାଯାଇଥିଲା । ଲକଡାଉନ ଓ ତାପରେ ସଟଡାଉନ । କିଛି ଜରୁରୀକାଳୀନ ସେବାକୁ ଛାଡିଦେଲେ ସଟଡାଉନ ପାଇଁ ଅଟକି ଯାଇଥିଲା ପୂରା ଦେଶ ।

ଲକଡାଉନ, ସଟଡାଉନ ଘୋଷଣା ପରେ ଅଟକିନଥିଲେ ନବୀନ । କାଳେ ସଂକ୍ରମିତଙ୍କ ସଂଖ୍ୟା ବଢିଯିବ, ଆଉ ବିନା ଚିକିତ୍ସାରେ ଅକାଳରେ ଲୋକଙ୍କର ପ୍ରାଣ ଚାଲିଯିବ ସେଥିପାଇଁ ପ୍ରସ୍ତୁତ ହେଲା ଏକ ଦୀର୍ଘମିଆଦି ରୋଡମ୍ୟାପ୍ ।  ମେଡିକାଲ ଭିତ୍ତିଭୂମିକୁ ସଜାଡିବାକୁ ରାତାରାତି ଛିଡା ହେଲା କୋଭିଡ କେୟାର ସେଣ୍ଟର ଓ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢୁଥିଲା କୋଭିଡ କେୟାର ସେଣ୍ଟରେ ବେଡ୍ ସଂଖ୍ୟା ମଧ୍ୟ ତା ଠାରୁ ଅଧିକ ବେଗରେ ବଢି ଚାଲିଥିଲା । ଯେଉଁଥିରେ କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯିବ ବୋଲି ନିଷ୍ପତି ନିଆଗଲା । ଆଉ ତାହା ବି ପୁଣି ସମ୍ପୂର୍ଣ୍ଣ ମାଗଣା । ଯେପରି କୌଣସି କରୋନା ସଂକ୍ରମିତ ଆର୍ଥିକ ଅଭାବ କାରଣରୁ ଚିକିତ୍ସାରୁ  ବଞ୍ଚିତ ନହେବେ, ସେଥିପାଇଁ ଟେଷ୍ଟିଂ ଠାରୁ ଟ୍ରିଟେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ମାଗଣାରେ ଯୋଗାଇଦେବାକୁ ନିଷ୍ପତି ନେଇଥିଲେ ସରକାର ।  ଏହାଛଡା ବିଦେଶ ତଥା ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିବାକୁ ସ୍ୱତନ୍ତ୍ର ୱେବସାଇଟ କରାଯାଇ ପଞ୍ଜୀକରଣ କରିବାକୁ କୁହାଯାଇଥିଲା । ଯାହାଦ୍ୱାରା ବିଦେଶରୁ ଆସିଥିବା ବ୍ୟକ୍ତି ସଂକ୍ରମିତ ହୋଇଥିଲେ ଅତି ସହଜରେ ଟ୍ରାକ୍ କରାଯାଇପାରିବ । ଆଉ ନବୀନଙ୍କ ଏହି ଫର୍ମୁଲା ପୂରା ଦେଶକୁ ବାଟ ଦେଖାଇଥିଲା । ଏପରିକି ପ୍ରଧାନମନ୍ତ୍ରୀ ମୋଦି ପ୍ରଂଶସା କରିବା ସହ ନବୀନଙ୍କୁ ଅନୁକରଣ କରିବାକୁ ପୂରା ଦେଶକୁ ପରାମର୍ଶ ଦେଇଥିଲେ ।

ସଂକ୍ରମିତଙ୍କୁ ଟ୍ରାକ୍ କରିବା ଓ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଗଠନ ପରେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆହୁରି ବଢିଗଲା ଯେତେବେଳେ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଲେ । ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ଫେରିବା ସହ ସଂକ୍ରମଣର ସଂଖ୍ୟା ମଧ୍ୟ ବଢିଚାଲିଛି । କିନ୍ତୁ ଏଭଳି ଏକ ପରିସ୍ଥିତିର ସାମ୍ନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିଲେ ସରକାର । ପଞ୍ଚାୟତସ୍ତରରେ କ୍ୱାରେଣ୍ଟିନ ସେଣ୍ଟର ସହ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ନିର୍ମାଣ ସରିଥିଲା । ଆଉ ଏଥିପାଇଁ ସରପଞ୍ଚ ମାନଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ ନବୀନ । ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ କରୋନା ଲଢେଇକୁ ଆହୁରି ଶାଣିତ କରିଥିଲେ ମୁଖ୍ୟମନ୍ତ୍ରୀ । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି କ୍ୱାରେଣ୍ଟିନ ସେଣ୍ଟରରେ ପହଞ୍ଚାଇବା ଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରେ ମହାମାରୀକୁ ରୋକିବାକୁ ଆବଶ୍ୟକୀୟ ନିଷ୍ପତି ନେବାର କ୍ଷମତା ସରପଞ୍ଚଙ୍କ ହାତରେ ନ୍ୟସ୍ତ କରିଥିଲେ ନବୀନ । କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଇବା, ପିଇବା ବ୍ୟବସ୍ଥା ସହ ରୋଜଗାରର ବାଟ ବାହାର କରିଥିଲେ ସରକାର । ଯାହାଦ୍ୱାରା ସଂକ୍ରମିତ ଲୋକଙ୍କୁ କ୍ୱାରେଣ୍ଟିନ ସେଣ୍ଟରରୁ ହିଁ ସହଜରେ ଚିହ୍ନଟ କରାଯିବା ସହ ଭୂତାଣୁ ବ୍ୟାପିବାରେ ବ୍ରେକ ଲଗାଇବାରେ ସଫଳ ହୋଇଥିଲେ ସରକାର ।

ଭୂତାଣୁ ଭୟ ଭିତରେ ଯେପରି ଲୋକଙ୍କର ଜୀବନ ଅନାହାରରେ ନ ଯାଉ ସେଥିପାଇଁ ପଞ୍ଚାୟତସ୍ତରରେ ନିରାଶ୍ରୟଙ୍କ ପାଇଁ ରୋଷେଇ ଖାଦ୍ୟର ବ୍ୟବସ୍ଥା କରିଥିଲେ ନବୀନ ସରକାର । କେବଳ ମଣିଷ ନୁହେଁ ମହାମାରୀ ସମୟରେ ପଶୁପକ୍ଷୀଙ୍କ ଭୋକର ବ୍ୟଥାକୁ ମଧ୍ୟ ବୁଝିଛନ୍ତି ସରକାର । ଏହାଛଡା ଆଗୁଆ ପିଡିଏସ ସାମଗ୍ରୀ ଯୋଗାଇଦେଇ ମହାମାରୀ ଲଢେଇ ସମୟରେ ଗରିବ ଲୋକର ଭୋକ ଦୂର କରିବାରେ ସାଥ୍ ଦେଇଥିଲେ ସରକାର । କେବଳ ଏତିକି ନୁହେଁ ଏହି ମହାଲଢେଇରେ ସାମିଲ ହୋଇଥିବା ଡାକ୍ତର, ପୋଲିସଙ୍କୁ କୋଭିଡ ଯୋଦ୍ଧାର ପରିଚୟ ଦେଇ ସେମାନଙ୍କର ମନୋବଳ ବଢାଇଥିଲେ  । ଏସବୁ ଭିତରେ କୋଭିଡ ଲଢେଇକୁ ଆଜି ବର୍ଷେ ପୂରିଛି । ହଁ,  ଲକଡାଉନ ହଟିଛି, ସଂକ୍ରମଣ କମିଛି କିନ୍ତୁ ଏଯାଏଁ କରୋନା ଯାଇନି । ନବୀନଙ୍କ ସମୟ ଉପଯୋଗୀ ନିଷ୍ପତି ଓ ପଦକ୍ଷେପ ଯୋଗୁଁ ଅନେକ ଜୀବନ ବଞ୍ଚିଛି ସତ କିନ୍ତୁ ଏବେ ବି ଆମକୁ ପୂର୍ବଭଳି ସଚେତନ ରହିବାର ଯଥେଷ୍ଟ ଆବଶ୍ୟକତା ରହିଛି । ନଚେତ ପୁଣି କେତେବେଳେ ଯେ ସଟଡାଉନ ଓ ଲକଡାଉନ ଭଳି ସ୍ଥିତି ଦେଇ ଗତି କରିବାକୁ ପଡିବ ତାହା କିଏ ବା କହିବ?