ବହୁ ଚର୍ଚ୍ଚିିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ । ହେଲେ ଏଯାଏଁ ସ୍ପଷ୍ଟ ହୋଇପାରିଲାନି ହତ୍ୟାକାଣ୍ଡର କାରଣ ।

165

କନକ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବର୍ଷେ ପୁରିଛି । ଗତ ବର୍ଷ ଆଜିର ଦିନରେ ଝାରସୁଗୁଡ଼ାରେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ହେଲେ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ଏବେବି ସ୍ପଷ୍ଟ ହୋଇନାହିଁ । ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ଷଡଯନ୍ତ୍ର ଦିଗ ନେଇ ବୟାନ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାରେ ଷଡଯନ୍ତ୍ର ଦିଗକୁ ସାମିଲ କରିନାହିଁ, କି ଏହା ପଛର ସତ ଖୋଜିବାକୁ ଚେଷ୍ଟା କରିନାହିଁ ।

ବର୍ଷକ ଭିତରେ କ୍ରାଇମବ୍ରାଞ୍ଚ ହାତରେ ସେମିତି କିଛି ପ୍ରମାଣ ବି ଲାଗିନାହିଁ । ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି । କିନ୍ତୁ ନବ ଦାସଙ୍କ ପତ୍ନୀ ଓ ପୁଅ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନ ଏବେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ।

ତଦନ୍ତ ବେଳେ ଅଭିଯୁକ୍ତ ଗୋପାଳଙ୍କ ପରିବାରବର୍ଗ ବାଇପୋଲାର ଡିଜଅର୍ଡର ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଥିଲେ । ଏହି ଦାବିର ସତ୍ୟତା ଯାଞ୍ଚ କରିବାକୁ ଯାଇ ଡିଏମଇଟି ଓଡ଼ିଶାଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ପରୀକ୍ଷା ବେଳେ ଗୋପାଳର ମାନସିକ ରୋଗ ନେଇ କୌଣସି ସୂଚନା ପାଇନଥିଲା । ତଦନ୍ତ ବେଳେ ମଧ୍ୟ ଗୋପାଳ ସହଯୋଗ କରିବା ସହ ସବୁ ପ୍ରଶ୍ନର ଉତ୍ତର ବୁଝିବିଚାରି ଦେଉଥିଲା । ଯାହାକି ତାର ମାନସିକ ସ୍ଥିତି ସ୍ଥର ରହିଥିବା ଏବଂ ସେ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା କ୍ରାଇମବ୍ରାଞ୍ଚ ନିଜ ରିପୋର୍ଟର ଉଲ୍ଲେଖ କରିଛି ।