ମେ ୩: କନ୍ଦାଇଥିଲା ଫୋନି, କଲବଲ କରୁଛି କରୋନା । କ୍ୟାଲେଣ୍ଡରରେ ବର୍ଷଟିଏ ବଦଳିଛି କିନ୍ତୁ ସେହି ତାରିଖ ଶୂନ୍ୟତାର ସମାନ ଫର୍ଦ୍ଦ ଲେଉଟାଇଛି । ଦେଖନ୍ତୁ ଫୋନି-କରୋନାର ଖାଁ ଖାଁ ଖେଳ…

ମେ ୩, ୨୦୧୯ରେ ଯେଉଁ ଚିତ୍ର, ମେ ୩, ୨୦୨୦ରେ ସେହି ସମାନ ଚିତ୍ର, ସମାନ ଭାବ । ସେବେ ଯେଉଁ ଶୂନ୍ୟତା ଥିଲା ଏବେ ବି ସେହି ଶୂନ୍ୟତାରେ ପୂର୍ଣ୍ଣ ପୂରା ପରିବେଶ । ନିର୍ଜନ ଜନପଥର ଏ ନିଛାଟିଆ ରାଇଜରେ କେବଳ ନିରବତାର ରାଜୁତି ।

555

କନକ ବ୍ୟୁରୋ: ସେଦିନ ଶୂନଶାନ, ଆଜି ବି ଶୂନଶାନ । ସେବେ ଝଡର ଭୟ, ଏବେ ଭୂତାଣୁର ଭୟ । ଆତଙ୍କ, ହାହାକାର ଆଉ ଖାଁ ଖାଁ ମଝିରେ ଖେଳୁଥିବା ନିସ୍ତବ୍ଦତାର ଏ ହେଉଛି ଦୁଇଟି ଦାରୁଣ ଚିତ୍ର । ମେ ୩, ୨୦୧୯ରେ ଯେଉଁ ଚିତ୍ର, ମେ ୩, ୨୦୨୦ରେ ସେହି ସମାନ ଚିତ୍ର, ସମାନ ଭାବ । ସେବେ ଯେଉଁ ଶୂନ୍ୟତା ଥିଲା ଏବେ ବି ସେହି ଶୂନ୍ୟତାରେ ପୂର୍ଣ୍ଣ ପୂରା ପରିବେଶ । ନିର୍ଜନ ଜନପଥର ଏ ନିଛାଟିଆ ରାଇଜରେ କେବଳ ନିରବତାର ରାଜୁତି ।

ବର୍ଷେ ଭିତରେ ଦେଖାଦେଇଥିବା ଦୁଇ ସାମଞ୍ଜସ୍ୟ ଦୃଶ୍ୟର କିନ୍ତୁ ସୂତେ ଫରକ । ଗୋଟିଏ ଶୂନ୍ୟତା ଫୋନି ପାଇଁ ଆଉ ଅନ୍ୟଟି କରୋନା ପାଇଁ । ଦୁଇଟି ଦୃଶ୍ୟରେ ଏକଲାପଣର ଏକଛତ୍ରବାଦ ଶାସନ । ତେବେ ଗତବର୍ଷ ମେ ୩ ତାରିଖ ଦିନ ସକାଳୁ ସକାଳୁ ସବୁଠି ଖେଳି ଯାଇଥିଲା ଅଜଣା ଆତଙ୍କ । ବାତ୍ୟା ଆସିବା ଆଗରୁ ନିରବତାର ନିହାଣ ମୁନରେ ଓଡିଶା ଛାତିକୁ ଖୋଳି ଖୋଳି କ୍ଷତାକ୍ତ କରିଥିଲା ଫୋନି । ଲ୍ୟାଣ୍ଡପଲ କରିବା ଆଗରୁ ହିଁ ସୁସୁ ଗର୍ଜନ କରି ନାଲି ଆଖି ଦେଖାଉଥିଲା ବାତ୍ୟା । ବର୍ଷାର ପ୍ରଖର ବେଗ ଆଉ ପବନର ପ୍ରଚଣ୍ଡତା ଆଗରେ ସବୁକିଛି ଭାଙ୍ଗିରୁଜି ଚୁରୁମାର ହୋଇଯାଉଥିଲା । ନିମିଶକରେ ଉପୁଡି ପଡୁଥିଲା ବଡ ବଡ ଗଛ, ତୁଳା ପରି ଉଡି ଯାଉଥିଲା ଉଚ୍ଚ ଅଟ୍ଟାଳିକାର ଶକ୍ତ ଛାତ । ଫୋନି ତାଣ୍ଡବରେ ଶକ୍ତିହୀନ ହୋଇ ଆକ୍ତାମାକ୍ତା ହେଉଥିଲା ଉପକୂଳ ଓଡିଶାର ଅନେକ ଜିଲ୍ଲା ।

 

ତେବେ ତିନି ଘଣ୍ଟାର ଭୟଙ୍କର ତାଣ୍ଡବ ପରେ ସବୁଆଡେ ଖେଳି ଯାଇଥିଲା ଭୀଷଣ ଭୟ । କେହି କିଛି ବୁଝିବା ଆଗରୁ ଅବାକ ହୋଇଥିଲେ ସମସ୍ତେ । କିଏ ଆଖି ଆଗରେ ମୃତ୍ୟୁର ମହାତାଣ୍ଡବ ଦେଖିଥିଲା ତ କିଏ ବାତ୍ୟାର ବିଭୀଷିକା ବଖାଣୁଥିଲା । ଫୋନି ଯିବାର ଦୁଇ ଦିନ ଯାଏଁ ପୁରୀ, କୋଣାର୍କ, ଭୁବନେଶ୍ୱର ପରି ଅନେକ ଜିଲ୍ଲା ଖାଁ ଖାଁ ହୋଇଥିଲା । ସବୁଠି ଲାଗିଥିଲା ଶୂନ୍ୟତାର ଶହେ ୧୪୪ ।

ଆଉ ବାତ୍ୟାର ଠିକ ବର୍ଷେ ପରେ ସେହି ସମାନ ଦୃଶ୍ୟ । ଏବେ କିନ୍ତୁ ଖାଲି ଉପକୂଳ ଓଡିଶା ନୁହେଁ ସାରା ଓଡିଶା ଖାଁ ଖାଁ । ଆଉ ଏ ଶୂନଶାନ ପଛର କାରଣ ମହାବାତ୍ୟା ନୁହେଁ ମହାମାରୀ କରୋନା । ଭୂତାଣୁ ଭୟ ପାଇଁ ଘରେ ରହିଛି ପୂରା ଓଡିଶା । ଘରୁ ନବାହାରିବାକୁ କଟକଣା ହୋଇଥିବାରୁ ଏବେ ରାସ୍ତାଘାଟ, ଛକ ବଜାର, ଗଳି କନ୍ଦି ସବୁଠି ଜନଶୂନ୍ୟ, ମରୁଭୂମିର ଭ୍ରମ । ଫୋନିଠୁ କରୋନାର ଯନ୍ତ୍ରଣା ବଳି ଯାଇଥିବାରୁ ଭୟରେ ଘରେ ରହୁଛନ୍ତି ଲୋକେ । ସେଦିନ ଭକ୍ତ-ଭଗବାନଙ୍କ ମଝିରେ ଫୋନି ବାଡ ତିଆରି କରିଥିବା ବେଳେ ଆଜି ବି କରୋନା କାନ୍ଥ ତିଆରିଛି । ତେବେ ୨୦୧୯, ୨୦୨୦ ଭିତରେ ସିନା ଗୋଟିଏ ବର୍ଷ ବଦଳିଛି । ହେଲେ ମେ ୩ରେ ଶୂନ୍ୟତାର ସେହି ସମାନ ଫର୍ଦ୍ଦ ଓଲଟିଛି…