କନକ ବ୍ୟୁରୋ : ଆଜି ବି ବିଶ୍ୱର ଗାଁ ଗଣ୍ଡା ଶୁନସାନ ଲାଗେ । ଲୋକେ ସହର ମୁହଁ ହେଉଥିବାରୁ ସେ ଛୋଟ ସହର ହେଉ କି ବଡ ସହର ଚାରିଆଡେ ଲୋକଙ୍କ ଭିଡ । ରାସ୍ତାଘାଟ ଜାମ ତ ଗାଡି ମୋଟର ଶବ୍ଦରେ କାନ ଅତଡା ହୋଇପଡେ । ସହରର ସ୍ଥିତି ଏଭଳି ଅବସ୍ଥାରେ ପହଂଚିଛି କି ନା ଥକ୍କା ମାରିବା ପାଇଁ କେଉଁଠି ମିଳେ ଗଛର ଛାଇ ନା ଜରୁରୀ ନିତ୍ୟକର୍ମ ସାରିବାକୁ ନିରୋଳା ସ୍ଥାନ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ସହର ବାବଦରେ କହିବାକୁ ଯାଉଛୁ ଯେଉଁ ସହରରେ କେବଳ ଜଣେମାତ୍ର ଲୋକ ବାସ କରନ୍ତି ।

Advertisment

ଦର୍ଶକ ବନ୍ଧୁ ଆପଣ ଆମେରିକା ବାବଦରେ ଉଣା ଅଧିକ ଜାଣିଥିବେ । ବିଶ୍ୱର ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଆମେରିକା ହେଉଛି ଅନ୍ୟତମ । ଏଠିକାର ସହର ଚାକଚକ୍ୟ ଓ ପ୍ରଯ୍ୟୁକ୍ତି ବିଦ୍ୟାର ବିକାଶ ଫଳରେ ଅନ୍ୟ ଦେଶରୁ ଲୋକମାନେ ଚାକିରି ହେଉ କି ବ୍ୟବସାୟ ହେଉ ସବୁଠୁ ଆଗ ପସନ୍ଦ କରନ୍ତି ଆମେରିକାକୁ । ଏଠି ସହରର କୋଳାହଳ ଓ ପୁଞ୍ଜି ବିକାଶର ଲୋଭ ବିଶ୍ୱବାସୀଙ୍କୁ ଟାଣି ଆଣିଥାଏ ଆମେରିକାକୁ । ସବୁ ନାଗରିକଙ୍କର ଗୋଟିଏ ସ୍ୱପ୍ନଥାଏ କିଭଳି ଆମେରିକାର ନାଗରିକତ୍ୱ ହାସଲ କରିବେ । ହେଲେ ଏଭଳି ଏକ ଦେଶର ଏଭଳି ଏକ ସହର ରହିଛି ଯେଉଁଠି କେବଳ ଜଣେମାତ୍ର ଲୋକ ବାସ କରିଥାନ୍ତି । ଆମେରିକାର ନେବ୍ରକ୍ସ ପ୍ରଦେଶ ଅନ୍ତର୍ଗତ ମନୋୱି ସହରରେ କେବଳ ଜଣେ ମାତ୍ର ମହିଳା ବାସ କରନ୍ତି । ୮୬ ବର୍ଷିୟା ଏଲସି ଏଇଲର ନାମ୍ନୀ ଜଣେ ବିଧବା ମହିଳା ହେଉଛନ୍ତି ଏହି ସହରର ଅଧିପତି ।

କହିରଖୁ କି ଗତ ଶତାବ୍ଦୀର ତୃତୀୟ ଦଶକରେ ଏକ ରେଳ ପ୍ରକଳ୍ପର ବିସ୍ଥାପିତଙ୍କୁ ଥଇଥାନ କରିବାକୁ ନିଓବ୍ରାରା ନଦୀ ଓ ମସୋରି ନଦୀ ମଧ୍ୟସ୍ଥ ୦.୫୪ ବର୍ଗ କିଲୋମିଟର ପରିଧିରେ ଉକ୍ତ ସହର ସ୍ଥାପନ କରାଯାଇଥିଲା । ଏହି ସହର ସ୍ଥାପନ ବେଳେ ସେଠାରେ ୧୫୦ ରୁ ଅଧିକ ପରିବାର ରହୁଥିଲେ । ହେଲେ ସମୟ କ୍ରମେ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ କର୍ମ ସ୍ଥାନ ପାଇଁ ଏହି ସହରର ଲୋକମାନେ ସହର ଛାଡି ପଳାଇଯାଇଥିଲେ । ଅଷ୍ଟମ ଦଶକ ବେଳକୁ ଏହି ସହରର ଜନସଂଖ୍ୟା ମାତ୍ର ୧୮ ରେ ପହଂଚିସାରିଥିଲା । ହେଲେ ୨୦୨୦ ଜନଗଣନା ମୁତାବକ ଏହି ସହରରେ ଏବେ ଏଲସି ହେଉଛନ୍ତି ଏକମାତ୍ର ବାସିନ୍ଦା ।

ଏଲସିଙ୍କର ଜୀବନ କାହାଣୀ ବି ବେଶ୍ ରୋଚକ । ସେ ୧୯ ବର୍ଷର ହୋଇଥିବା ବେଳେ ଜଣେ ବାୟୁସେନା ଅଧିକାରୀଙ୍କୁ ବିବାହ କରିଥିଲେ । ଏହାପରେ ଉଭୟ ଦମ୍ପତ୍ତି ରହୁଥିଲେ । ହେଲେ ୨୦୦୪ ମସିହାରେ ଏଲସିଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ଏଲସି ହିଁ ଏହି ସହରର ଏକମାତ୍ର ବାସିନ୍ଦା । ଏହି କାରଣରୁ ଏହି ସହର ଏବେ ସାରା ବିଶ୍ୱବାସୀଙ୍କୁ ଦୃଷ୍ଟି ଆକର୍ଶଣ କରିଛି । ସେ ହିଁ ଏହି ସହରର ମେୟର ଓ ଗ୍ରନ୍ଥାଗାରିକ । ଏହାସହ ସେଠାରେ ତାଙ୍କ ନାମରେ ଏକ ମଦ୍ୟଶାଳା ରହିଥିବା କଥା ମଧ୍ୟ କୁହାଯାଉଛି ।