କାଲିଠୁ ସପ୍ତାହେ ପାଇଁ ସଟଡାଉନ୍ ଓଡିଶା ହାଇକୋର୍ଟ । ମେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ ।

289

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଏକ ସପ୍ତାହ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ । ରାଜ୍ୟ ତଥା କଟକ ସହରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର ଅନେକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ମେ’ ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟଡାଉନ୍ ରହିବ ବୋଲି ରେଜିଷ୍ଟ୍ରାର୍ ଜେନେରାଲ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଭାକେସନ୍ ରୋଷ୍ଟର ଅନୁସାରେ ୨୮ ତାରିଖରୁ ହାଇକୋର୍ଟ ଖୋଲିବ । ଗ୍ରୀଷ୍ମ ଅବକାଶ ବେଳେ ମେ’ ୩୧, ଜୁନ ୨ ଓ ୪ ତାରିଖ ଦିନ କୋର୍ଟ ଚାଲିବ । ତେବେ ସଟଡାଉନ ବେଳେ ଅତି ଜରୁରୀ ମାମଲା ରହିଥିଲେ, ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଯିବ ଏବଂ ସେ ଏ ନେଇ ପଦକ୍ଷେପ ନେବେ । ଏହି ସମୟରେ ରୁଟିନ୍ ମାମଲା ନଆଣିବା ପାଇଁ ଆଇନଜୀବୀମାନଙ୍କୁ ଅନୁରୋଧ କରାଯାଇଛି । ଜୁନ ୧ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ମେ’ ୨୮ରୁ ଜୁନ ୧ ପର୍ଯ୍ୟନ୍ତ ହାଇକୋର୍ଟ ଚାଲିବ ବୋଲି କହିଛନ୍ତି ରେଜିଷ୍ଟ୍ରାର୍ ଜେନେରାଲ୍ ।