ସେବାୟୟ କହିଲେ, ନବୀନ ଶୁଣିଲେ… ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହେଲେ, ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

362

କନକ ବ୍ୟୁରୋ: ସେବାୟତ କହିଲେ, ନବୀନ ଶୁଣିଲେ । ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାମ୍ରଯୋଜନାରେ ଯେତେବେଳେ ଶ୍ରୀଲିଙ୍କରାଜ ମନ୍ଦିର ପରିଦର୍ଶନ କରି ସୌନ୍ଦର୍ଯ୍ୟକରଣ ଅନୁଧ୍ୟାନ କରୁଥିଲେ ମୁଖ୍ୟମନ୍ତ୍ରୀ ସେହି ଅବସରରେ ସେବାୟତଙ୍କ ସହ ୱାନ ଟୁ ୱାନ କଥା ହୋଇଥିଲେ ନବୀନ । ସେବାୟତଙ୍କ ସମସ୍ୟା ନେଇ ନିଜେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଆଉ ସେବାୟତମାନେ ମଧ୍ୟ ସେମାନଙ୍କ ସମସ୍ୟା ଓ ସୁଖ ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

ତେବେ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ଆଲୋଚନା ବେଳେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜାଗା ଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ମନ୍ଦିର ନେଇ ଆଇନ ଆଣିବାକୁ ସେବାୟତ କହିଥିଲେ । ଆଉ ନବୀନ ସେମାନଙ୍କ ଉତ୍ତର ଦେଇ କହିଥିଲେ, କରିବି କରିବି, ପକ୍କା ଆଇନ କରିବି ।

ସେପଟେ ପୁରୀ ଶ୍ରୀମନ୍ଦିର ଢାଂଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଆସିବ ଏକ ସ୍ୱତନ୍ତ୍ର ଆଇନ । ଆଜି ଅପରାହ୍ନରେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ କାମ ବୁଲି ଦେଖିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ କାମ ବୁଲି ଦେଖିବା ସହ ସିଂହଦ୍ୱାରକୁ ଯାଇ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଛନ୍ତି । ଏହାପରେ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅଧିନରେ ଏକାମ୍ର କ୍ଷେତ୍ରର ବିକାଶ କରାଯାଉଛି ।