ଶତ୍ରୁ ଦେଶର ସୈତାନକୁ ଧରିଲା ଭାରତୀୟ ସେନା । ଉରି ଭଳି ଆକ୍ରମଣ କରିବାକୁ ପାକିସ୍ତାନରୁ ଟ୍ରେନିଂ ନେଇ ଆସିଥିଲା ଭାରତ ।

411

କନକ ବ୍ୟୁରୋ :  ଭାରତୀୟ ସେନାକୁ ବଡ ସଫଳତା । ଶତ୍ରୁ ଦେଶରୁ ହୋଇଥିବା ଷଡଯନ୍ତ୍ରକୁ ପଣ୍ଡ କରିଛି ଭାରତୀୟ ସେନା । ଭାରତକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ବଡ ଧରଣର ଆତଙ୍କ ରଚିବାକୁ ଚାହୁଁଥିଲା ପାକିସ୍ତାନ, ଯାହାକୁ ସମ୍ପୂର୍ଣ୍ଣ ରୂପେ ପଣ୍ଡ କରିଛି ଭାରତୀୟ ସେନା । ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଅପରେସନ ସମୟରେ ଜଣକୁ ଧରିଛି ଭାରତୀୟ ସେନା । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅପରେସନ ୧୮ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା, ଯେତେବେଳେ ପାଟ୍ରୋଲିଂ ସମୟରେ ପାକିସ୍ତାନରୁ ଆତଙ୍କବାଦୀଙ୍କୁ ଭାରତୀୟ ସୀମା ମଧ୍ୟକୁ ପଠାଯାଉଥିବାର ଦେଖିବାକୁ ମିଳିଥିଲା ।

ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ,  ଅପରେସନ ବେଳେ ଧରାପଡିଥିବା ଆତଙ୍କବାଦୀଙ୍କ ନାଁ ଅଲ୍ଲୀ ବାବର । ମାତ୍ର ୧୯ ବର୍ଷ ବୟସରେ ଅଲ୍ଲୀ  ଲସ୍କର-ଇ-ତୋଇବା ଭଳି ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେବା ସହ ଭାରତରେ ଆକ୍ରମଣ କରିବାକୁ ଅନୁପ୍ରବେଶ କରିଥିଲା । ଭାରତରେ ଅନୁପ୍ରବେଶ କରିବା ପୂର୍ବରୁ ଅଲ୍ଲୀ ୩ ମାସ ଟ୍ରେନିଂ ନେଇଥିଲା । ଟ୍ରେନିଂ ଶେଷ ହେବା ପରେ ଉରି ଭଳି ଆଉ ଏକ ବଡ ଆକ୍ରମଣ କରିବାକୁ ସୀମା ଡେଇଁ ଭାରତରେ ପଶିଥିଲା ଅଲ୍ଲୀ ।

ଏବେ କାଶ୍ମୀରରେ ଅପରେସନକୁ ଜୋରଦାର କରିଛି ଭାରତୀୟ ସେନା ।  ଏପରିକି ଗତ ୭ ଦିନ ମଧ୍ୟରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ସହ ଅଲ୍ଲୀକୁ ଧରିଛନ୍ତି ଭାରତୀୟ ଯବାନ । ୧୮ ସେପ୍ଟେ୍‌ମ୍ବରରେ ଏଲଓସି ଦେଇ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ୬ ଆତଙ୍କବାଦୀ । ତେବେ ଭାରତୀୟ ସେନା ପକ୍ଷରୁ ଅପରେସନ ଆରମ୍ଭ ହେବାରୁ ୪ ଜଣ ଆତଙ୍କବାଦୀ ପାକିସ୍ତାନ ଫେରି ଯାଇଥିଲେ । ବାକି ୨ ଆତଙ୍କବାଦୀ  ୨୫ ସେପ୍ଟେମ୍ବରରେ ଏକ ନାଳରେ ଲୁଚିଥିବାର ଖବର ମିଳିଥିଲା । ପରେ ୨୬ ସେପ୍ଟେମ୍ବରରେ ଜଣେ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ବେଳେ ଅଲ୍ଲୀକୁ ଜୀବନ୍ତ ଧରିବାରେ ସଫଳ ହୋଇଥିଲା ସେନା ।

ପାକିସ୍ତାନ ପଞ୍ଜାବର ଦିପଲପୁର ଅଞ୍ଚଳରୁ ଆସୁଥିବା ଅଲ୍ଲୀ ମାତ୍ର ସପ୍ତମ ଶ୍ରେଣୀ ଯାଏଁ ପାଠ ପଢିଛି । ତେବେ ବାପାଙ୍କ ଦେହାନ୍ତ ପରେ ଲସ୍କର-ଇ-ତୋଇବାରେ ସାମିଲ ହୋଇଥିଲେ ଅଲ୍ଲୀ । ୨୦୧୯ରେ ଆତଙ୍କୀ କ୍ୟାମ୍ପରୁ ଟ୍ରେନିଂ ନେଇଥିଲା ଅଲ୍ଲୀ । ଟଙ୍କା ଲୋଭରେ ଆତଙ୍କବାଦୀ କ୍ୟାମ୍ପରେ ଅଲ୍ଲୀ ସାମିଲ ହୋଇଥିବା ବେଳେ ପରେ ତାକୁ ଭାରତରେ ଆକ୍ରମଣ ପାଇଁ ପଠାଇଥିଲା ଆତଙ୍କବାଦୀ ସଙ୍ଗଠନ । ଅଲ୍ଲୀକୁ ଗିରଫ କରିବା ପରେ ଏଭଳି ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଆଉ ଅଲ୍ଲୀକୁ ଗିରଫ କରିବା ପରେ ତାହାର ଫଟୋ ମଧ୍ୟ ଜାରି କରାଯାଇଛି ।