କନକ ବ୍ୟୁରୋ : ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଯୋଜନାରେ ରେଳ ଷ୍ଟେସନରେ ବିକ୍ରି ହେଉଛି ହାତ ତିଆରି ସାମଗ୍ରୀ । ବାଲେଶ୍ୱର ଏବଂ ଜଳେଶ୍ୱର ରେଳ ଷ୍ଟେସନରେ ଖୋଲାଯାଇଛି ସେଲସ ହବ୍ । ସ୍ଥାନୀୟ ଉତ୍ପାଦ ଓ କାରିଗରଙ୍କୁ ମିଳିବ ନୂଆ ପରିଚୟ । ୧୫ ଦିନ ପାଇଁ ଏହି ଯୋଜନାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇ ଥିବା ବେଳେ ଏହାର ଗୁରୁତ୍ୱକୁ ଲକ୍ଷ୍ୟ କରି ଆଗାମୀ ଦିନରେ ଏହି ଯୋଜନା ପାଇଁ ନିଆଯିବ ନିଷ୍ପତି ।

Advertisment

ଷ୍ଟେସନରେ ଶୋଭାପାଉଛି ନଡ଼ିଆ କତାରେ ହାତ ତିଆରି ସାମଗ୍ରୀ । ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଯୋଜନାରେ ରେଳ ଷ୍ଟେସନରେ ବିକ୍ରି ହେଉଛି ସ୍ଥାନୀୟ ସାମଗ୍ରୀ । ଭାରତୀୟ ରେଳ ନେଟୱାର୍କର ବ୍ୟବହାର କରି ସ୍ଥାନୀୟ ଉତ୍ପାଦକୁ ପ୍ରତ୍ୟେକ ରେଳ ଷ୍ଟେସନରେ ବିକ୍ରି ପାଇଁ ହବ୍ କରାଯାଇଛି । ଓଡ଼ିଶାର ବାଲେଶ୍ୱର ଏବଂ ଜଳେଶ୍ୱର ରେଳ ଷ୍ଟେସନରେ ଖୋଲାଯାଇଛି ସେଲସ ହବ୍  । ବାଲେଶ୍ୱରର ୩ ନମ୍ବର ପ୍ଲାଟଫର୍ମରେ ସ୍ଥାନୀୟ ଅଂଚଳର ନଡ଼ିଆକତାରୁ ତିଆରି ହୋଇଥିବା ବିଭିନ୍ନ ସାମଗ୍ରୀ  ବିକ୍ରି କରାଯାଉଛି ।  ସେହିପରି ଜଳେଶ୍ୱର ଷ୍ଟେସନରେ ସିଲଭର ଓ ଷ୍ଟେନର ବିଭିନ୍ନ ପ୍ରକାର ଗହଣା ଓ କସମେଟିକ୍ ସାମଗ୍ରୀ ବିକ୍ରି ପାଇଁ ଗୁରୁତ୍ୱ ଦିଆଯାଇଛି ।

ବାଲେଶ୍ୱର ଜିଲ୍ଲା ନଡ଼ିଆ କତା ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହାକୁ ଗୁରୁତ୍ୱ ଦିଆଯାଇଛି । ନଡ଼ିଆକତାରୁ ତିଆରି ହେଉଥିବା ବିଭିନ୍ନ ଘରୋଇ ଉପକରଣ ଷ୍ଟେସନ ପରିସରରେ ବିକ୍ରି କରାଯାଉଛି । ଏହି ଯୋଜନାକୁ ୧୫ ଦିନ ଏକ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇଛି । ଏହାର ଗୁରୁତ୍ୱକୁ ଲକ୍ଷ କରି ଆଗାମୀ ଦିନରେ ଏହି ଯୋଜନା ପାଇଁ ନିଷ୍ପତି ନିଆଯିବ । ଏହି ଷ୍ଟେସନ ଏକ ମାର୍କେଟିଂ ଚ୍ୟାନେଲ ଭାବେ କାମ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ବ୍ୟବସାୟୀମାନଙ୍କୁ ଷ୍ଟଲ ପିଛା ୧୫ ଦିନକୁ ୫ ଶହ ଟଙ୍କା ଭଡା ଦେବାକୁ ପଡୁଛି ।

ଏହା ଦ୍ୱାରା ରେଳ ଯାତ୍ରୀ ମାନେ ବାଲେଶ୍ୱରର ସ୍ଥାନୀୟ ଶିଳ୍ପ ସମ୍ପର୍କରେ ଜାଣିବା ସହିତ ଏଥିରେ ବହୁ ବ୍ୟବସାୟୀ ଯୋଡ଼ି ହୋଇ ଉପକୃତ ହୋଇପାରିବେ । ସ୍ଥାନୀୟ ଉତ୍ପାଦ ଓ କାରିଗରଙ୍କୁ ମିଳିବ ନୂଆ ପରିଚୟ । ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ସୁବିଧା ମିଳିବା ସହ ଅଧିକ ରୋଜଗାର ହେବାର ସମ୍ଭାବନା ମଧ୍ୟ ରହିଛି ।