ଗୋଟିଏ ରାଜ୍ୟ ଗୋଟିଏ ବଜାର : ଅଧ୍ୟାଦେଶ ଜାରି କଲେ ସରକାର; ରାଜ୍ୟବ୍ୟାପୀ ଏକକ ବଜାର ଶୁଳ୍କ

130

କନକ ବ୍ୟୁରୋ : ରାଜ୍ୟରେ ଆଉ ବିଜ୍ଞାପିତ ବଜାର ଅଞ୍ଚଳ ରହିବ ନାହିଁ। ରାଜ୍ୟ ମଧ୍ୟରେ ବଜାରର ବିଭାଜନକୁ ସରକାର ରଦ୍ଦ କରିଛନ୍ତି। ଗୋଟିଏ ରାଜ୍ୟ ଗୋଟିଏ ବଜାର ନିୟମ ଲାଗୁ କରାଯାଇଛି। ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି କରିଛନ୍ତି । ଏହି ଅଧ୍ୟାଦେଶରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ଏଣିକି କୃଷି ଉତ୍ପାଦକୁ ବିକ୍ରି କରିବା ପାଇଁ କୌଣସି ପ୍ରକାର ଭୌଗଳିକ ପ୍ରତିବନ୍ଧକ ଆଉ ରହିବ ନାହିଁ। କୃଷକମାନେ ସେମାନଙ୍କ ଉତ୍ପାଦକୁ ରାଜ୍ୟ ଭିତରେ ‌ବିନା ବାଧାରେ ଯେ କୌଣସି ସ୍ଥାନରେ ବିକ୍ରି କରିପାରିବେ ।

ସାରା ଦେଶରେ କୃଷି ବଜାର କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ କୃଷି, ସମବାୟ ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ‘କୃଷି ଉତ୍ପାଦନ ଓ ପଶୁପାଳନ ବଜାରଆଇନ୍,୨୦୧୭’ ନାମରେ ଏକ ଚିଠା ଆଇନ୍ ପ୍ରସ୍ତୁତ କରିଥିଲେ। କିନ୍ତୁ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ କୃଷକଙ୍କୁ ତୁରନ୍ତ ଲାଭ ଦେବା ଉଦ୍ଦେଶ୍ୟରେ ‘କୃଷି ଉତ୍ପାଦ ଓ ପଶୁପାଳନ ବଜାର’ ନାମରେ ଦ୍ୱିତୀୟ ଅଧ୍ୟାଦେଶ ଅଣାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ନୂଆ ଅଧ୍ୟାଦେଶର ବ୍ୟବସ୍ଥା ଅନୁଯାୟୀ ସମଗ୍ର ରାଜ୍ୟରେ ଏକକ ବଜାର ଶୁଳ୍କ ଆଦାୟ ଓ ରାଜ୍ୟବ୍ୟାପୀ ଏକକ ବାଣିଜ୍ୟ ଲାଇସେନ୍ସ ପ୍ରଦାନ କରାଯିବ। କୃଷି ବଜାର ଓ ବଜାର କମିଟିର ଉନ୍ନତ ପରିଚାଳନା ପାଇଁ ‘କୃଷି ବଜାର ସେବା’(ଏଏମ୍‌ଏସ୍‌) ସଂସ୍ଥା‌ ଗଠନ କରାଯିବାକୁ ଅଧ୍ୟାଦେଶରେ ବ୍ୟବସ୍ଥା କରାଯାଇଛି ।

ବେସରକାରୀ ମାର୍କେଟ୍‌ ୟାର୍ଡ ଓ କୃଷକ ଉପଭୋକ୍ତା ବଜାର ୟାର୍ଡ (କୃଷକ ବଜାର), ସବ୍‌ ମାର୍କେଟ୍‌ ୟାର୍ଡ ସ୍ଥାପନ ଓ ପରିଚାଳନା ଦ୍ବାରା ଏକ ଅନୁକୂଳ ପରିବେଶ ସୃଷ୍ଟି ହେବ। ଏହା ଦ୍ବାରା କୃଷକମାନଙ୍କ ଉତ୍ପାଦ ପାଇଁ ବିଭିନ୍ନ ବଜାର ଓ ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ିବ ଏବଂ କୃଷକମାନେ ଏହାର ସୁଯୋଗ ନେଇପାରିବେ। କୃଷକମାନଙ୍କୁ ଉନ୍ନତ ବଜାର ପ୍ରବେଶ କିମ୍ବା ସଂଯୋଗ ଯୋଗାଇବା ପାଇଁ ଗୋଦାମ କିମ୍ବା ଶୀତଳ ଭଣ୍ଡାର ଏବଂ ଅନ୍ୟାନ୍ୟ ସଂରଚନା କିମ୍ବା ବଜାର ସବ୍‌-ୟାର୍ଡ ଭାବେ ଘୋଷଣାକୁ ସକ୍ଷମ କରାଯିବ ।

ସମଗ୍ର ରାଜ୍ୟକୁ ଗୋଟିଏ ଏନ୍‌ଫୋର୍ସମେଣ୍ଟ୍‌ ଏରିଆ ଭାବେ ଘୋଷଣା କରିବା ସହ ମାର୍କେଟ୍‌ କମିଟିରେ ସଦସ୍ୟ ଚୟନ ଉଦ୍ଦେଶ୍ୟରେ ଭୌଗଳିକ କ୍ଷେତ୍ରକୁ ବିସ୍ତୃତ ବଜାର କ୍ଷେତ୍ର ଭାବେ ପୃଥକ କରାଯିବ। ବାଣିଜ୍ୟ କାର୍ଯ୍ୟରେ ସ୍ୱଚ୍ଛତା ବୃଦ୍ଧି ଓ ଭୌଗଳିକ ସ୍ତରରେ ବଜାରର ଏକୀକରଣ ପାଇଁ ଇ-ବାଣିଜ୍ୟର ପ୍ରୋତ୍ସାହିତ କରାଯିବ । କୃଷିଜାତ ଦ୍ରବ୍ୟ ବିକ୍ରୟ ଉପରେ ଭୌଗଳିକ ପ୍ରତିବନ୍ଧକ ହଟାଇ ଉତ୍ପାଦକମାନଙ୍କୁ ସେମାନଙ୍କ ଉତ୍ପାଦକୁ ରାଜ୍ୟର ଯେ କୌଣସି ସ୍ଥାନରେ ବିକ୍ରୟ କରିବାକୁ ଅନୁମତି ମିଳିବ। ମୂଲ୍ୟ ଯୋଗ ଏବଂ ପ୍ରାଥମିକ ପ୍ରକ୍ରିୟାକରଣ ପାଇଁ ସର୍ଟିଂ, ଗ୍ରେଡିଂ, ପ୍ୟାକିଂ, ବୈଜ୍ଞାନିକ ସଂରକ୍ଷଣ, ସଂରକ୍ଷଣ ଓ ଗୋଦାମ ଘର ସହିତ ଆଧୁନିକ ଭିତ୍ତିଭୂମି ପାଇଁ ବ୍ୟବସ୍ଥା କରାଯିବ।

ରାଜ୍ୟରେ କୃଷି ଉତ୍ପାଦ ବଜାରକୁ ନିୟନ୍ତ୍ରଣ କରିବା ପାଇଁ ୧୯୫୭ ମସିହା ପର ଠାରୁ ଓଡ଼ିଶା କୃଷି ଉତ୍ପାଦନ ବଜାର ଆଇନ, ୧୯୫୬(ଓଏପିଏମ୍‌) କାର୍ଯ୍ୟକାରୀ କରାଯାଉଛି। ଓଏପିଏମ୍‌ ଆଇନ୍‌ ବିଭିନ୍ନ ସମୟରେ ସଂଶୋଧିତ ହୋଇଛି। କିନ୍ତୁ ଏହି ଆଇନ୍‌ର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ହାସଲ ହୋଇପାରି ନାହିଁ। ଓଡ଼ିଶାର କୃଷି ବଜାର ଖରାପ ଭିତ୍ତିଭୂମି, ବହୁଧା ବିଭାଜିତ ବଜାର ଚ୍ୟାନେଲ୍‌, ପରିଚାଳନାରେ ଅପାରଗତା ସବୁବେଳେ ଦୃଷ୍ଟିଗୋଚର ହେଉଛି। ଗ୍ରାହକ ଦେଉଥିବା ମୂଲ୍ୟ ଓ ଉତ୍ପାଦକ ପାଉଥିବା ମୂଲ୍ୟ ମଧ୍ୟରେ ବିଶାଳ ବ୍ୟବଧାନ ବି ଦେଖାଯାଉଛି। ଓଏପିଏମ୍‌ ଆଇନ୍‌ କୃଷି ବଜାରରେ ଘରୋଇ ନିବେଶକୁ ରୋକିଥାଏ ଏବଂ ରାଜ୍ୟରେ ଏକଚାଟିଆ କିଣାବିକା ଉପରେ ରୋକ୍ ଲଗାଇଥାଏ ।

କିନ୍ତୁ ପ୍ରଚଳିତ ବ୍ୟବସ୍ଥା କୃଷିଜାତ ଦ୍ର୍ୟବର ମୁକ୍ତ ପ୍ରବାହ ଏବଂ କୃଷକମାନଙ୍କର ରପ୍ତାନୀକାରୀଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କକୁ ସୁହାଉ ନାହିଁ। ଏହା ବହୁ ସଂଖ୍ୟାରେ ମଧ୍ୟସ୍ଥିଙ୍କୁ ଏହି ବ୍ୟବସ୍ଥାରେ ପଶିବା‌ ପାଇଁ ସୁଯୋଗ ଦେଇଛି। ସେମାନଙ୍କର ବଜାର ଶୃଙ୍ଖଳରେ କୌଣସି ଯୋଗଦାନ ରହୁ ନାହିଁ ବୋଲି ସରକାର ସ୍ବୀକାର କରିଛନ୍ତି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ସର୍ବୋଚ୍ଚ ମୂଲ୍ୟ ପ୍ରଦାନ, ସେମାନଙ୍କ ଆୟ ବୃଦ୍ଧି ଓ ପ୍ରତି‌େଯାଗିତାମୂଳକ ପଜାର ପରିବେଶ ସୃଷ୍ଟି ପାଇଁ ନିମନ୍ତେ ପ୍ରଚଳିତ ବଜାର ଢାଞ୍ଚାର ପୁନଃସମୀକ୍ଷାର ଆବଶ୍ୟକତା ରହିଥିଲା ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।

Comments are closed.