୧୪ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର: ଗଞ୍ଜାମରୁ ଚିହ୍ନଟ ୧୨ଜଣ ଆକ୍ରାନ୍ତ ଓ କେନ୍ଦ୍ରାପଡାର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା;ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସୁନ୍ଦରଗଡ ଆକ୍ରାନ୍ତ, ସଂଗରୋଧରେ ଥିଲେ ସମସ୍ତ ସଂକ୍ରମିତ

569

କନକ ବ୍ୟୁରୋ: ରାଜ୍ୟରେ ଆଉ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦଗଡର ଓ କେନ୍ଦ୍ରାପଡାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଂଜାମର ୧୨ ଜଣ ଓ କେନ୍ଦ୍ରାପଡାର ଜଣେ ଆକ୍ରାନ୍ତ ସୁରଟ ଫେରନ୍ତା । ସେହିପରି ସୁନ୍ଦରଗଡର ଜଣେ ଆକ୍ରାନ୍ତ ରାଉରକେଲା ଅଂଚଳର ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଆଜିର ପଜିଟିଭକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଂଚିଛି ।

ସେହିପରି ଆଜିର ୧୨ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମରେ ଏଯାଏଁ ମୋଟ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଂଚିଥିବା ବେଳେ କେନ୍ଦ୍ରାପଡାରେ ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୩୨୦ ଆକ୍ଟିଭ କେସ ରହିଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି । ଗତକାଲି ସର୍ବାଧିକ ୩ ହଜାର ୬୯୮ ନମୁନା ପରୀକ୍ଷା ହୋଇଥିଲା, ବର୍ତମାନ ସୁଦ୍ଧା ରାଜ୍ୟରେ ୬୩ ହଜାର ୪୭୮ ନମୁନା ପରୀକ୍ଷା ହୋଇଛି । ମେ ୪ ତାରିଖରେ ଓଡିଶାରେ ୩ହଜାର ୫୩୫ ନମୁନା ପରୀକ୍ଷା ହୋଇଥିଲା ।

ସେପଟେ, କେନ୍ଦ୍ରାପଡାରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରନ୍ତ ଜଣକ ସୁରଟ ଫେରନ୍ତା ବୋଲି ସୂଚନା ମିଳିଛି । ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।