କନକ ବ୍ୟୁରୋ : ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଥାନାରେ ଏତଲା ପରେ ଜଣେ ଚିହ୍ନଟ । ସିସିଟିଭି ଯାଞ୍ଚରୁ ଜଣଙ୍କୁ ଚିହ୍ନଟ କଲା ପୋଲିସ । ସୁଆର ମହାସୁଆର ସଭାପତିଙ୍କ ଉପସ୍ଥିତିରେ ଚାଲିଛି ସିସିଟିଭି ଯାଞ୍ଚ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯିବା ପରେ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ଘଟଣାକୁ ନେଇ ଜିଲ୍ଲାପାଳ ଓ ଏସପି ବୈଠକ କରିଛନ୍ତି । ଖୁବ୍ ଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Advertisment

କୁହାଯାଉଛି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁ ଜଗନ୍ନାଥଙ୍କ ୪୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । ଯୋଜନା କରି ଏକାଧିକ ବ୍ୟକ୍ତି ଜଗନ୍ନାଥଙ୍କ ଚୁଲାକୁ ଶାବଳରେ ଭାଙ୍ଗିଥିବା ସୂଚନା ମିଳିଛି । ମନ୍ଦିର ପହଡ଼ ପଡ଼ିବା ପୂର୍ବରୁ ଏସବୁ ଚୁଲାକୁ ଭଙ୍ଗାଯାଇଛି । ପହଡ଼ ପରେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ମନା । ତେଣୁ ପହଡ଼ ପଡ଼ିବା ପୂର୍ବରୁ ଚୁଲା ଭାଙ୍ଗିବା ପାଇଁ ମନ୍ଦିରରେ ଲୁଚି ରହିଥିଲେ । ରାତି ସାଢେ ୧୧ଟାରେ ରୋଷ ଘର ନୀତି ଶେଷ ହୋଇଥିଲା । ଏହା ପରେ ଏକାଧିକ ବ୍ୟକ୍ତି ରୋଷଘରକୁ ପ୍ରବେଶ କରିଥିଲେ ।

କୁହାଯାଉଛି ରାତି ୩ଟା ପରେ ଚୁଲା ଭଙ୍ଗାଯାଇଛି । ବିଶେଷ କରି ସୁଆର ମହାସୁଆର ନିଯୋଗର ସେବାୟତମାନେ ଶ୍ରୀମନ୍ଦିର ରୋଷଘରେ କାରବାର କରିଥାନ୍ତି । ତେଣୁ କେଉଁମାନେ ଏହି ଚୁଲା ଭାଙ୍ଗିଛନ୍ତି ତାହା ରୋଷଘର ପ୍ରବେଶ ପଥରେ ଲାଗିଥିବା ସିସିଟିଭି କ୍ୟାମେରାରୁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ରୋଷଘର ଭିତରେ ସିସିଟିଭି ଲାଗେନାହିଁ । ଏହା ପରମ୍ପରା ବିରୋଧୀ ହୋଇଥିବାରୁ କେବଳ ରୋଷଘର ପ୍ରବେଶ ପଥରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସିସିଟିଭି ଲଗାଯାଇଛି । ହେଲେ ସେବାୟତମାନଙ୍କ କହିବା ହେଲା ଏହି ସିସି କ୍ୟାମେରା ବହୁ ଦିନରୁ ଅଚଳ ହୋଇଯାଇଛି । ଯାହା ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ଶନିବାର ରାତ୍ର ପହୁଡ ବେଳେ କେଉଁମାନେ ରୋଷଘର ଦାୟିତ୍ୱରେ ଥିଲେ, ଏମାନେ କେତେବେଳେ ଗଲେ ସେସବୁର ଟିଖିନିଖି ଅନୁଧ୍ୟାନ କଲେ ପ୍ରକୃତ ଦୋଷୀଙ୍କ ପାଖରେ ପହଂଚି ପାରିବ ଶ୍ରୀମନ୍ଦିର ପ୍ରଶାସନ ।