କନକ ବ୍ୟୁରୋ : ପୁରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ଅଘଟଣ । ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଓ ୩୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଗୁରୁତର ଥିବା ସୂଚନା ମିଳିଛି । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପୁରୀ ମେଡିକାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରାୟ ୨୮ ଜଣଙ୍କୁ କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

Advertisment

ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଖବର ପରେ ଏସସିବି ମେଡିକାଲରେ ପହଂଚି ମୁଖ୍ୟ ଶାସନ ସଚିବ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ । ଏସସିବିକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଆହତଙ୍କୁ ମେଡିକାଲରେ ଡେଡ ରିସିଭ କରାଯାଇଛି । ମୃତକ ଜଣକ ମାଟିପଡା ଅଞ୍ଚଳର ରିଷିକେଶ କର୍ମକାର ବୋଲି ଜଣା ପଡିଛି । ଆଉ ଏବେ ଏସସିବିରେ ୭ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ୮ ଜଣ ଆହତ, ସମ୍ ହସ୍ପିଟାଲରେ ୨ ଜଣ, ସମ ଅଲଟିମେଟମରେ ୩ ଜଣ, ଏମ୍ସରେ ୨ଜଣ ଆହତ ଚିକିତ୍ସିତ ହେଉଛନ୍ତି । ଆହତ ଚିକିତ୍ସିତ ହେଉଥିବା ସବୁ ଘରୋଇ ଓ ସରକାରୀ ଡାକ୍ତରଖାନାରେ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଆହତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ପରବର୍ତି ସମୟରେ ଘଟଣାର ତଦନ୍ତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପିକେ ଜେନା କହିଛନ୍ତି ।