ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ : ଲଗାଇଲା ଦୁଷ୍କର୍ମ, ହତ୍ୟା ଓ ଅପହରଣ ମାମଲା; ଅଭିଯୁକ୍ତକୁ ଆଜି ନୟାଗଡ ପକସୋ କୋର୍ଟରେ କରାଯିବ ହାଜର

ସେପଟେ ଏସଆଇଟିର ତଦନ୍ତ ଉପରେ ପ୍ରଶ୍ନଉଠାଇଲେ ଯଦୁପୁର ଗ୍ରାମବାସୀ

162

କନକ ବ୍ୟୁରୋ : ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ହୋଇଛି ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ । ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ନୟାଗଡର ସେହି ଯଦୁପୁର ଗାଁରୁ ଅଭିଯୁକ୍ତକୁ ଧରିଛି । ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛି ଏସଆଇଟି ।

ଏହାଛଡା ଅଭିଯୁକ୍ତ ବିରୋଧରେ ୩୭୬ ଏ , ବି , ଅର୍ଥାତ୍ ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମର ଦଫା ମଧ୍ୟ ଲାଗିଛି । ପରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରି ହତ୍ୟା କରା ଯାଇଥିବାରୁ ଅପହରଣର ଧାରା ୩୬୪ ଓ ହତ୍ୟା ପାଇଁ ୩୦୨ ଧାରା ମଧ୍ୟ ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି ।

ସେପଟେ ନୟାଗଡ ଯଦୁପରରୁ ପରୀ ମୃତ୍ୟୁ ମାମଲାରେ ଏସଆଇଟି କଲେଜ ପଢୁଆ ଛାତ୍ରକୁ ଗିରଫ କରିବା ପରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି । ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବ ବୋଲି ଗ୍ରାମବାସୀ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଏକା ନା ଆଉ କିଏ ସଂପୃକ୍ତ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ହତ୍ୟା‌କାଣ୍ଡ ଘଟାଇ ଶବକୁ ଏକ ସପ୍ତାହରୁ ଅଧିକ ଦିନ ଲୁଚାଇ ରଖିବା ଏବଂ ଏହାପରେ ଆଣି ଫିଙ୍ଗିବା କେମିତି ସମ୍ଭବ ବୋଲି ଆଲୋଚନା ହେଉଛି । ଏଥିସହିତ ସାଧାରଣରେ ବି ଏକାଧିକ ପ୍ରଶ୍ନ ଉଠିଛି। ଯେମିତିକି ପରୀ ଶରୀରର ମାତ୍ର କେତେ ଖଣ୍ଡ ହାଡ଼ ଜବତ ହୋଇଥିବା ବେଳେ ହତ୍ୟାକାରୀ ବାକି ଅଂଶକୁ କେଉଁଠି ଫିଙ୍ଗିଛି ? ପରୀର ଶବକୁ ନଷ୍ଟ କରିଦେବା ପାଇଁ ବ୍ୟବହାର ହୋଇଥିବା କେମିକାଲ୍‌କୁ ଅଭିଯୁକ୍ତ କେଉଁଠୁ ଆଣିଲା ? ଏଥି‌ରେ ତାକୁ କେଉଁମାନେ ସହଯୋଗ କରିଥିଲେ ? କିଭଳି ସ୍ଥିତି‌ରେ ସେ ଦୁଷ୍କର୍ମ କଲା ? ଆସନ୍ତାକାଲି ଏସ୍‌ଆଇଟି ଏନେଇ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି ।