କୋଲକାତାରେ କରୋନା ଟ୍ରିପିଲ ମ୍ୟୁଟାଂଟର ସାଂଘାତିକ ପ୍ରଭାବ । ପ୍ରତି ଦୁଇ ଜଣଙ୍କ ନମୁନା ପରୀକ୍ଷାରୁ ଜଣେ ଚିହ୍ନଟ ହେଉଛନ୍ତି ପଜିଟିଭ୍ ।

କୋଲାକାତାରେ ପଜିଟିଭିଟି ହାର ୪୫ରୁ ୫୫ ପ୍ରତିଶତ

442

କନକ ବ୍ୟୁରୋ: କୋଲାକାତାରେ କରୋନା ଟ୍ରିପୁଲ ମ୍ୟୁଟାଂଟ୍ର ସାଂଘାତିକ ପ୍ରଭାବ । ଆରଟିପିସିଆର ଟେଷ୍ଟ ହେଉଥିବା ପ୍ରତି ଦୁଇ ଜଣରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ । ଏପ୍ରିଲ ଆରମ୍ଭରୁ ପ୍ରତି ୨୦ ଜଣରେ ଜଣେ ପଜିଟିଭ ଚିହ୍ନଟ ହେଉଥିଲେ । ଏବେ ଏହା ୧୦ ଗୁଣା ବୃଦ୍ଧି ପାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କେବଳ କୋଲକାତାରେ ପଜିଟିଭିଟି ରେଟ୍ ୪୫ରୁ ୫୫ ପ୍ରତିଶତ ରହିଛି । ସେହିପରି ସାରା ପଶ୍ଚିମବଙ୍ଗରେ ପଜିଟିଭିଟି ରେଟ୍ ରହିଛି ୨୪ ପ୍ରତିଶତ । ଅର୍ଥାତ କୋଲକାତାକୁ ଛାଡି ରାଜ୍ୟର ଅନ୍ୟ ଭାଗରେ ପ୍ରତି ୪ ଜଣରେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି ।

ଗତବର୍ଷ କରୋନାର ପ୍ରଥମ ଲହର ସମୟରେ ଅକ୍ଟୋବରରେ ପଶ୍ଚିମବଙ୍ଗରେ ସଂକ୍ରମଣ ଶୀର୍ଷ ଛୁଇଁଥିଲା । ସେତେବେଳେ ପଜିଟିଭିଟି ହାର ଥିଲା ୯.୪ ପ୍ରତିଶତ । ଏପ୍ରିଲ ୧ ତାରିଖରେ ପଶ୍ଚିମବଙ୍ଗରେ ୨୫ ହଜାର ୭୬୬ ନମୁନା ପରୀକ୍ଷା ହୋଇଥିବାବେଳେ ୧୨୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଂଟାରେ ମୋଟ୍ ୫୫ ହଜାର ୬୦ଟି ନମୂନା ପରୀକ୍ଷା ହୋଇଥିବାବେଳେ ୧୪, ୨୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ପଶ୍ଚିମବଙ୍ଗରେ ଏହି ହାର ଆହୁରି ଅଧିକ ରହିବ । କାରଣ ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷ୍ୟଣ ନଥିବା ବ୍ୟକ୍ତି କରୋନା ପରୀକ୍ଷା କରାଉ ନାହାନ୍ତି ।