କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ବୟାନ । ଦୁଇ ଓମିକ୍ରନ୍ ଆକ୍ରାନ୍ତଙ୍କ ଭିତରୁ ଜଣେ ଦକ୍ଷିଣ ଆଫ୍ରିକାର ନାଗରିକ, ଜଣେ ଡାକ୍ତର ।

128

କନକ ବ୍ୟୁରୋ: କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନକୁ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ବୟାନ । ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଆଫ୍ରିକାର ନାଗରିକ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସେହି ବ୍ୟକ୍ତିଜଣକ ବର୍ତ୍ତର୍ମାନ ନିଜ ଦେଶକୁ ଫେରି ସାରିଛନ୍ତି । ଅନ୍ୟପଟେ ଆଉ ଜଣେ ଆକ୍ରାନ୍ତ ୪୬ ବର୍ଷୀୟ ଡାକ୍ତର । ତାଙ୍କର କୌଣସି ବି ଟ୍ରାଭେଲ ହିଷ୍ଟ୍ରି ନାହିଁ । କିଭଳି ତାଙ୍କ ପାଖକୁ ଓମିକ୍ରନ ଭୂତାଣୁ ଆସିଲା ତାହାକୁ ନେଇ ଅନୁସନ୍ଧାନ ଜାରି ରହିଥିବା କହିଛନ୍ତି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଭାରତରେ ଚିହ୍ନଟ ହୋଇଛି ଦକ୍ଷିଣ ଆଫ୍ରିକାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି । ତେବେ ଏହି ନୂଆ ପ୍ରଜାତି କରୋନା ଭୂତାଣୁ ଭାରତରେ ଚିହ୍ନଟ ହେବା ପରେ ଭୟ ନକରିବା ପାଇଁ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହାସହ କରୋନାର ଉଭୟ ଡୋଜ୍ ଟିକା ନେବା ପାଇଁ ଦେଶବାସୀଙ୍କୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ଦେଶରୁ ଦେଶକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏହି ଭିତରେ କର୍ଣ୍ଣାଟକରେ ଦୁଇଟି ମାମଲା ଚିହ୍ନଟ ହୋଇଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

  • କର୍ଣ୍ଣାଟକର ୨ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ
  • ଦୁଇ ଆକ୍ରାନ୍ତଙ୍କ ବୟସ ୬୬ ଓ ୪୬ ବର୍ଷ
  • ଉଭୟ ବିଦେଶ ଫେରନ୍ତା ଏବଂ ଉଭୟ କରୋନା ଟିକାର ଦୁଇଟି ଡୋଜ୍ ନେଇଛନ୍ତି
  • ଏୟାରପୋର୍ଟରେ କରୋନା ଆକ୍ରାନ୍ତ ଜଣାପଡିବା ପରେ ଜିନୋମ ସିକ୍ୱେନ୍ସିଂରେ ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ
  • ଚିହ୍ନଟ ଆକ୍ରାନ୍ତଙ୍କ କଂଟାକ୍ଟ ଟ୍ରେସିଂ ଜାରି ରହିଛି
  • ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ନମୁନା ସଂଗ୍ରହ କରାଯାଉଛି
  • ଓମିକ୍ରନ୍ ସଂକ୍ରମିତଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଛି
  • ଭାରତକୁ ମିଶାଇ ୨୯ ଟି ଦେଶରେ ୩୭୩ଟି ମାମଲା ଚିହ୍ନଟ

ତେବେ ଭାରତରେ କରୋନାର ନୂଆ ପ୍ରଜାତି ଓମିକ୍ରନ ଚିହ୍ନଟ ହେବା ପରେ ଦେଶବାସୀଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଭୟଭୀତ ନ ହୋଇ କରୋନା ଗାଇଡ୍ ଲାଇନ୍ ପାଳନ କରିବାକୁ କୁହାଯାଇଛି । ଭିଡ ସ୍ଥାନରୁ ଦୁରରେ ରହିବା ସହ ମାସ୍କ ବ୍ୟବହାର କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଏହାସହ କରୋନା ଟିକାର ଉଭୟ ଡୋଜ୍ ନେବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।