ପ୍ରବାସୀ ଶ୍ରମିକ ତଥା ଗରିବ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର : ଆଜିଠାରୁ ଦେଶରେ ଲାଗୁ ହେବ ‘ୱାନ ନେସନ ୱାନ ରାସନ କାର୍ଡ’ । 

4,647

କରୋନା ସଂକଟ ଭିତରେ ପ୍ରବାସୀ ଶ୍ରମିକ ଏବଂ ଗରିବ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଆଜିଠାରୁ ସାରା ଦେଶରେ ‘ୱାନ ନେସନ ୱାନ ରାସନ କାର୍ଡ’ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଲାଗୁ ହେବାକୁ ଯାଉଛି । ଅର୍ଥାତ୍ ଏଣିକି ଆପଣ ଯେଉଁ ସ୍ଥାନରେ ଥିଲେ ବି ରାସନ୍ ସାମଗ୍ରୀ, ଯେକୌଣସି କଂଟ୍ରୋଲ ଦୋକାନରୁ ଉଠାଇ ପାରିବେ । ୨୩ଟି ରାଜ୍ୟରୁ ୬୭ କୋଟି ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବ ।

ଏହି ଯୋଜନାରେ ବଣ୍ଟନ ସହ ଜଡିତ ଜନସଂଖ୍ୟାର ୮୩ ପ୍ରତିଶତ ଲୋକଙ୍କୁ ସାମିଲ କରାଯିବ । ୨୩ଟି ରାଜ୍ୟରେ ଥିବା ୬୭ କୋଟି ରାସନ କାର୍ଡଧାରୀ (ଯାହା ସମୁଦାୟ ପିଡିଏସ୍ ଜନସଂଖ୍ୟାର ୮୩ ପ୍ରତିଶତ) ଅଗଷ୍ଟ ୨୦୨୦ ସୁଦ୍ଧା ଜାତୀୟ ପୋର୍ଟେବିଲିଟି ଅଧୀନରେ ଆସିବେ । ମାର୍ଚ୍ଚ ୨୦୨୧ ପୂର୍ବରୁ ୧୦୦ ପ୍ରତିଶତ ଜାତୀୟ ପୋର୍ଟେବିଲିଟି ହାସଲ କରାଯିବ । ଆପଣଙ୍କୁ କେବଳ ରାସନ୍ କାର୍ଡ ସହ ଆଧାର ଲିଙ୍କ୍ କରିବାକୁ ହେବ ।

ଓଡିଶାରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଭୁବନେଶ୍ୱର ମହାନଗର ନିଗମରୁ ଏହି ବ୍ୟବସ୍ଥା ଲାଗୁ ହେବ । ଏହାକୁ ଲାଗୁ କରିବା ପାଇଁ ଅଂଟା ଭିଡିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରୁ ପାଇଲଟ୍ ବେସସିରେ ଭୁବନେଶ୍ୱର ମହାନଗର ନିଗମରୁ ଏହା ଆରମ୍ଭ ହେବ । ପରେ ଏହାକୁ ସାରା ରାଜ୍ୟରେ ଲାଗୁ କରାଯିବ ବୋଲି କହିଛନ୍ତି  ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଓଡ଼ିଶାରେ ୩ କୋଟି ୨୬ ଲକ୍ଷ ୪୧ ହଜାର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇଛନ୍ତି । ଯାହା ମୋଟ୍ ଜନସଂଖ୍ୟାର ପ୍ରାୟ ୭୮ ପ୍ରତିଶତ । ସେପଟେ ୨୦୧୮ ଗାନ୍ଧୀ ଜୟନ୍ତୀ ଦିନ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ବାଦ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି । ତେଣୁ ଏହି ହିତାଧିକାରୀଙ୍କ ରାସନକାର୍ଡଧାରୀକୁ ଆଧାର ଲିଙ୍କ କରି ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ହିତାଧିକାରୀଙ୍କୁ କ’ଣ ମିଳିବ ସୁବିଧା?

– ଯେକୌଣସି ସହର ବା କଂଟ୍ରୋଲ ଦୋକାନରୁ ମିଳିପାରିବ ରାସନ ସାମଗ୍ରୀ

– ରାସନ ପାଇଁ ଆଉ ନିଜସ୍ୱ ଠିକଣାକୁ ଯିବା ପାଇଁ ପଡ଼ିବ ନାହିଁ

– ରାସନ କାର୍ଡ ଜରିଆରେ ଚାଉଳ, ଗହମ, କିରୋସିନ୍ ଭଳି ସାମଗ୍ରୀ ଉଠାଇହେବ

ଏହାରି ଭିତରେ ରାସନକାର୍ଡକୁ ଆଧାର ଲିଙ୍କ ପାଇଁ ଧରପଗଡ ଆରମ୍ଭ କରିଛନ୍ତି ସରକାର । ସବୁ ରାସନ କାର୍ଡକୁ ଆଧାର ଲିଙ୍କ କରିବା ପାଇଁ ବିଭାଗ ପକ୍ଷରୁ ଏନେଇ  ଜିଲ୍ଲାପାଳଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ ତାହା ଚିହ୍ନଟ କରିବାରେ ଅସୁବିଧା ରହିବ ନାହିଁ ।