କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ରହିବେ । ଏହି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ । ସରକାର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହି ସମୟରେ ଏକକ ନିର୍ବାଚନ ନେଇ ଆସିପାରେ ବିଲ । ଚଳିତ ମାସ ୧୮ରୁ ୨୨ ସେପେଟମ୍ବର ଯାଏଁ ଏହି ଅଧିବେଶନ ଚାଲିବ ।

Advertisment

ଅଧିବେଶନରେ ୫ଟି ବୈଠକ ବସିବ । ଦେଶରେ ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ନେଇ ବିତର୍କ ଦୀର୍ଘଦିନ ହେଲା ହୋଇ ଆସୁଛି । ଏ ନେଇ ଚଳିତବର୍ଷ ଜାନୁଆରୀରେ ଆଇନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କୁ ୬ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ । କେନ୍ଦ୍ର ସରକାର ଏହାକୁ ଲାଗୁ କରିବାକୁ ଚାହୁଁଥିବାବେଳେ ଆମ ଆଦମୀ ପାର୍ଟି ସମେତ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୮୫ ଅନୁସାରେ ସରକାର ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଡାକିପାରିବେ ।

ଏହାଛଡା ସମାନ ଆଚାର ସଂହିତା ବିଲ୍, ମହିଳା ବିଲ୍ ଓ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ବି ସ୍ୱତନ୍ତ୍ର ଅଧିବେଶନରେ ଆଣିପାରନ୍ତି ବିଜେପି ସରକାର । ୨୦୧୪ ମସିହାରେ କ୍ଷମତାକୁ ଆସିବା ପରଠାରୁ ମୋଦୀ ସରକାର ଦେଶରେ ଏକକ ନିର୍ବାଚନ କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାର ଲାଭ କ’ଣ କହିବା ଆରମ୍ଭ କରିଛନ୍ତି ।