ଆଖିବୁଜିଲେ ଆଉ ଜଣେ ଆଗଧାଡ଼ିର ଯୋଦ୍ଧା । ମହାମାରୀ କରୋନାରେ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ ପରଲୋକ ।

344

କନକ ବ୍ୟୁରୋ : ମହାମାରୀ କରୋନା ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କରୋନା ଖବର କରୁ କରୁ ମହାମାରୀର ଶିକାର ହୋଇଯାଇଛନ୍ତି ସମ୍ବାଦର ଗଞ୍ଜାମ ପ୍ରତିନିଧି ପ୍ରଦୀପ ସାହୁ । ଗତ କିଛି ଦିନ ହେଲା ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । କରୋନା ସହ ଲଢ଼େଇ କରିବା ଭିତରେ ଶେଷରେ ଆଖି ବୁଜି ଦେଇଛନ୍ତି ଏହି ଯୋଦ୍ଧା ।

ହୁଏତ, ଏହାଠୁ ଦୁଃଖଦ ଅନୁଭୁତି ଆଉ କ’ଣ ହୋଇପାରେ, ଯେତେବେଳେ ଜଣେ ସାମ୍ବାଦିକଙ୍କୁ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁର ଖବର କହିବାକୁ ପଡ଼େ କିମ୍ବା ଲେଖିବାକୁ ପଡ଼େ । ଯିଏ ଦିନେ ବୁଲି ବୁଲି ଗଂଞ୍ଜାମ ଜିଲ୍ଳାର ଟିକିନିକି ଖବର ଦେଉଥିଲେ, ସିଏ ନିଜେ ଆଜି ଖବର ପାଲଟି ଯାଇଛନ୍ତି । ମହାମାରୀ ପୁଣି ଜଣେ ‘ସମ୍ବାଦ’ ପରିବାରର ସଦସ୍ୟକୁ ଛଡ଼ାଇ ନେଇଛି ।

ପ୍ରଦୀପଙ୍କ ସମ୍ପର୍କରେ ଯାହା କହିଲେ ବିି କମ ହେବ । ସାମ୍ବାଦିକତା ଓ ମାନବିକତାକୁ ସମାଜ କଲ୍ୟାଣର ଦୁଇ ଅସ୍ତ୍ର ଭଳି କାମରେ ଲଗାଉଥିଲେ । ଏବେ ବି ମନେ ପଡ଼ିଯାଉଛି, ଖବର ସଂଗ୍ରହ କରିବା ପାଇଁ ସେ ବ୍ୟକ୍ତିଗତ ଭାବେ କେମିତି ପ୍ରୋତ୍ସାହିତ କରୁଥିଲେ ।

ଗତବର୍ଷ ଯେତେବେଳେ ଗଞ୍ଜାମ ଜିଲ୍ଳା କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା, ଗାଁ, ଗାଁର କରୋନା ସମ୍ପର୍କିତ ଖବର, ସମ୍ବାଦ ଓ କନକ ନ୍ୟୁଜ୍ ଜରିଆରେ ଲୋକଙ୍କ ସାମ୍ନାକୁ ଆଣୁଥିଲେ ପ୍ରଦୀପ ସାହୁ । ଆଉ ଯେତେବେଳେ ସୁରଟରୁ ପ୍ରବାସୀମାନେ ବହୁ କଷ୍ଟରେ ରାଜ୍ୟକୁ ଫେରୁଥିଲେ, ସେମାନଙ୍କ ପାଖରେ ପହଂଚିଯାଉଥିଲେ ପ୍ରଦୀପ ସାହୁ ।

ଦୀର୍ଘ ବର୍ଷର ସାମ୍ବାଦିକତା ଓ ଫିଲ୍ଡରେ କାମ କରିବାର ଅଭିଜ୍ଞତା ସହ ୨୦୧୮ ମସିହାରେ ଓଡ଼ିଶାର ସର୍ବାଧକ ପଠିତ ଓ ପ୍ରସାରିତ ଖବର କାଗଜ ସମ୍ବାଦ ଗଞ୍ଜାମ ଜିଲ୍ଳା ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ପ୍ରାୟ ୪ ବର୍ଷ ଭିତରେ ଗଞ୍ଜାମ ଭଳି ଜିଲ୍ଳାରେ ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଥିଲେ ।

କରୋନା ଯୋଗୁଁ ସାମ୍ବାଦିକଙ୍କ ମୃତ୍ୟୁ ତାଲିକାରେ ଏବେ ପ୍ରଦୀପଙ୍କ ନାଁ ଯୋଡ଼ି ହୋଇଯାଇଛି । ସାମ୍ବାଦିକଙ୍କୁ କରୋନାର ସମ୍ମୁଖ ଯୋଦ୍ଧା ସଜାଇ ଦିଆଯାଇଛି ସତ, ହେଲେ ଏହି ଯୋଦ୍ଧାଙ୍କ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇଛି । ଏମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଚିକିତ୍ସା ସେବା ଯୋଗାଇ ଦେବା କ’ଣ ପ୍ରଶାସନର ଦାୟୀତ୍ୱ ନୁହେଁ ? ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମ୍ବାଦିକ ପ୍ରଦୀପ କିଶୋର ସାହୁଙ୍କ ଦେହନ୍ତରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।