ପୋଲସରା ବିଧାୟକ କରୋନା ପଜିଟିଭ: ତାଙ୍କ ସ୍ତ୍ରୀ ମଧ୍ୟ ଆକ୍ରାନ୍ତ; ଫୋନେ ଯୋଗେ କନକ ନ୍ୟୁଜକୁ ସୂଚନା ଦେଲେ ଶ୍ରୀକାନ୍ତ ସାହୁ

କହିଲେ, ନିକଟରେ ଫେରିଥିଲେ ଗଂଜାମରୁ

248

କନକ ବ୍ୟୁରୋ: ରାଜ୍ୟର ଆଉ ଜଣେ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । ପୋଲସରା ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ଫୋନେ ଯୋଗେ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ । ତେବେ ସେ ନିକଟରୁ ଗଂଜାମରୁ ଫେରିଥିବାବେଳେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ସ୍ୱାବ ପରୀକ୍ଷା ପରେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏବେ ସେ ଘରୋଇ ସଂଗରୋଧରେ ଥିବା କହିଛନ୍ତି । ପୂର୍ବରୁ ରାଜ୍ୟର ୩ ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ । ନୀଳଗିରି ବିଧାୟକ, ରେମୁଣା ବିଧାୟକ ଓ ସାଲେପୁର ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ ।

ଅନ୍ୟପଟେ ବିଧାନସଭାରେ ପଶିଲା କରୋନା । ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଦେବୀ ମିଶ୍ରଙ୍କ ସଭାପତିତ୍ୱରେ ଯେଉଁ ବୈଠକ ବସିଥିଲା ସେଥିରେ ନୀଳଗିରି ବିଧାୟକ ଉପସ୍ଥିତ ଥିଲେ । ତା ପର ବୈଠକକୁ ବାତିଲ କରାଯାଇଥିଲା । ବୈଠକରେ ଥିବା ୧୨ ଅଫିସରଙ୍କୁ କରୋନା ପରୀକ୍ଷା ପାଇଁ କୁହାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପଜିଟିଭ ଆସିଛି । ସମେସ୍ତ ଘରୋଇ ସଂଗରୋଧରେ ଥିଲେ । ବିଧାନସଭାକୁ ସଂପୂର୍ଣ୍ଣ ସାନିଟାଇଜ କରାଯିବ ଏବଂ ୪ତାରିଖରେ ଖୋଲିବ ବିଧାନସଭା ।

କରୋନା ଯୋଦ୍ଧାଙ୍କୁ କରୋନା ସଂକ୍ରମଣ । ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ୬ପୋଲିସ କର୍ମଚାରୀ, ଜଣେ ଆଶା କର୍ମୀ ଓ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ଦେହରେ କରେନା ଭୂତାଣୁ ମିଳିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟରେ ସୂଚନା ଦିଆଯାଇଛି । ଏହାସହ କରୋନା ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଆଜି ଭଦ୍ରକରୁ ୬୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଜିଲ୍ଳାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୩କୁ ବୃଦ୍ଧି ପାଇଛି । ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨୮ଜଣ ସୁସ୍ଥ ହୋଇଛନ୍ତି ଏବଂ ଏବେ ଦେଢ ଶହଟି ସକ୍ରିୟ ମାମଲା ରହିଛି ।