ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଠାବ: ଚିହ୍ନଟ ହୋଇଥିବା ପଜିଟିଭ ବାଲେଶ୍ୱର ଜିଲ୍ଲାର; ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାକୁ ୧୪୩କୁ ବୃଦ୍ଧି

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

340

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଫଳରେ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏଥିସହ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୧୪୩ରେ ପହଂଚିଛି ।

ତେବେ ଆଜି ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର କେଉଁ ଅଂଚଳର ଏବଂ ତାଙ୍କର ଯାତ୍ରା ବିବରଣୀ କଣ ରହିଛି, ସେ କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏନେଇ କୌଣସି ବି ତଥ୍ୟ ସ୍ପଷ୍ଟ କରିନାହିଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କେବଳ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ବାଲେଶ୍ୱରର ବୋଲି ସ୍ପଷ୍ଟ କରିଛି ।

ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଆସିଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ବଢ଼ୁଛି କରୋନା ସୁସ୍ଥଙ୍କ ସଂଖ୍ୟା । ଗତକାଲି ସୁନ୍ଦରଗଡର ଦୁଇ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୪୧ରେ ପହଁଚିଛି । ସୁନ୍ଦରଗଡର ମୋଟ ସୁସ୍ଥଙ୍କ ସଂଖ୍ୟା ୫ରେ ପହଁଚିଛି । ଏବଂ ଆଉ ୫ ଜଣ ଚିକିତ୍ସିତ ହେଉଛନ୍ତି । ମୋଟ ଶହେ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାରି ଭିତରେ ଓଡିଶାର ଯାଜପୁର ହଠାତ୍ କରୋନା ହଟସ୍ପଟ ପାଲଟିଯାଇଛି । ଯାଜପୁରରେ ଗତକାଲି ଗୋଟିଏ ଦିନରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଆଉ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଁଚି ଯାଇଛି । ଯାଜପୁର ଜିଳ୍ଲାର ଏପର୍ଯ୍ୟନ୍ତ ଜଣେ ମାତ୍ର ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ରାଜ୍ୟର ସର୍ବାଧିକ ୩୫ ଜଣ ଚିକିତ୍ସିତ ହେଉଛନ୍ତି ।