‘କରୋନା’ ସ୍ଥିତି ସାଙ୍ଘାତିକ: ରାଜ୍ୟରେ କରୋନା ନେଲା ଆଉ ଗୋଟିଏ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି; ମୃତକ ଗଂଜାମ ଜିଲ୍ଲାର ସୂଚନା

ସେପଟେ, ରାଜ୍ୟରେ ୩୦୦ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

604

କନକ ବ୍ୟୁରୋ: ରାଜ୍ୟରେ କରୋନା ନେଲା ପୁଣି ଏକ ମୁଣ୍ଡ । ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିବା ବେଳେ ପୁଣି ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତକ ଆକ୍ରାନ୍ତ ଜଣକ ଗଂଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ରାଜ୍ୟରେ ୨ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇସାରିଥିବା ବେଳେ ଆଜି ଆଉ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ତେବେ ମୃତକ ଜଣକ ଗଂଜାମର କେଉଁ ଅଂଚଳର ଏବଂ ସେ କେତେ ନମ୍ବର ଆକ୍ରାନ୍ତ ଥିଲେ ସେ ନେଇ କୌଣସି ସୂଚନା ସ୍ପଷ୍ଟ କରିନି ବିଭାଗ । କେବଳ ରାଜ୍ୟରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।

ସେପଟେ, ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ ପାର ହୋଇଛି । ଆଜି ଏକାବେଳକେ ୫୮ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଗଂଜାମ, ମୟୁରଭଂଜ, ଅନୁଗୁଳ, ବାଲେଶ୍ୱରରୁ ହୋଇଥିବା ସୂଚନା ମିଳିଛି । ତେବେ ଗଂଜାମରୁ ୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ସେହିଭଳି ବାଲେଶ୍ୱରରୁ ଆଜି ୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି , ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ମୟୁରଭଂଜରେ ମଧ୍ୟ ଆଜି ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଂଚିଛି । ଅନ୍ୟପଟେ ଅନୁଗୁଳରେ ଆଜି ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଏକାବେଳକେ ୧୩ ନୂଆ ସଂକ୍ରମିତ ଠାବ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ରାଜ୍ୟର ୨୦ଟି ଜିଲ୍ଲାକୁ କବଜା କରିଲାଣି କରୋନା । ଆଜି ଅନୁଗୁଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟର ୨୦ଟି ଜିଲ୍ଲାରେ କରୋନା ବ୍ୟାପିଥିବା ସ୍ପଷ୍ଟ ହୋଇଛି । ତେବେ କରୋନା ଆକ୍ରାନ୍ତ ତାଲିକାରେ ଗଂଜାମ ଜିଲ୍ଲା ରହିଛି ସବୁଠାରୁ ଆଗରେ । ଜିଲ୍ଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮୧ ହୋଇଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି ୬୮ ଜଣ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।