ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ଆଉ ଜଣେ ଗିରଫ । ଟଙ୍କା ନେଇ ଶତ୍ରୁ ଦେଶକୁ ଦେଉଥିଲେ ଗୁପ୍ତ ତଥ୍ୟ ।

306

କନକ ବ୍ୟୁରୋ : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିଙ୍କ୍ ମାମଲାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ ।  ଗିରଫ ଅଭିଯୁକ୍ତ ସଚିନ କୁମାର ଡିଆରଡିଓରେ ଡ୍ରାଇଭର ଭାବେ କାମ କରୁଥିଲେ । ଆଉ ଗିରଫ ପରେ ତାଙ୍କୁ ପୋଲିସ ହେପାଜତକୁ ନିଆଯିବା ସହ ପଚରାଉଚରା କରାଯାଉଛି । ସଚିନଙ୍କ ଗିରଫ ପରେ ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି । ଏହାପୂର୍ବରୁ ଗତ ମଙ୍ଗଳବାର ଦିନ ଡିଆରଡିଓର ତଥ୍ୟ ଲିକ୍ ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ । ଏବେ କ୍ରାଇମବ୍ରାଞ୍ଚ  ଏହି ଘଟଣାରେ ଅଭିଯୁକ୍ତଙ୍କୁ ଜେରା କରିବ ।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କାମ କରୁଥିବା କର୍ମଚାରୀ , ପାକିସ୍ତାନର ଜଣେ ମହିଳାଙ୍କ ହନିଟ୍ରାପରେ ପଡିଥିଲେ । ଜଣକ ପରେ ଜଣେ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ । ସର୍ଭିଲାନ୍ସରୁ ଜଣାପଡିଛି, ପାକିସ୍ତାନୀ ମହିଳାଙ୍କ ସହ ଅଭିଯୁକ୍ତମାନେ ନିୟମିତ ଯୋଗାଯୋଗରେ ରହିବା ସହ ଟଙ୍କା କାରବାର କରୁଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ପରେ ଅଭିଯୁକ୍ତଙ୍କ ଆକାଉଂଟକୁ ଆସୁଥିଲା ପୁଳା ପୁଳା ଟଙ୍କା । ବର୍ଷେ ହେବ ଟଙ୍କା କାରବାର ଚାଲିଥିଲା । ଅନଲାଇନ ମାଧ୍ୟମରେ ଟଙ୍କା କାରବାର ହେଉ ଥିବାରୁ କେତେ ଟଙ୍କା ଆକାଉଣ୍ଟକୁ ଆସିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ  ।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ତଥ୍ୟ ଲିକ ଘଟଣାରେ ସାମ୍ନାକୁ ଆସୁଛି ଆହୁରି ସାଂଘାତିକ ତଥ୍ୟ । ସୂଚନା ଅନୁସାରେ, ତଥ୍ୟ ଲିକ ନେଇ ଗିରଫ  ଅଭିଯୁକ୍ତ କ୍ଷେପଣାସ୍ତ୍ର ଘାଟିର କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରୁ ବିଦେଶୀ ମୁଦ୍ରା କାରବାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପାକ ମହିଳାଙ୍କ ସହ ବସନ୍ତ ବେହେରାର ଅଧିକ ସମ୍ପର୍କ ଥିଲା । ମହିଳାଙ୍କ ସହ ହ୍ୱାଟ୍ସଅପ ଭିଡିଓରେ ଭିଡିଓ କଲିଂ ଓ ଚାଟ କରୁଥିଲା ବସନ୍ତ । ଏପିରିକି ଅଶ୍ଲୀଳ ଭିଡିଓ ଚାଟ ବି ହୋଇଥିବା ସାଂଘାତିକ ସତ ସାମ୍ନାକୁ ଆସୁଛି । ବସନ୍ତ ମାଧ୍ୟମରେ ଅନ୍ୟ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସମ୍ପର୍କ ଯୋଡି ହୋଇଥିଲା । ଏପରିକି ମହିଳା ଜଣକ ଚାନ୍ଦିପୁର ଆସିବାକୁ ଚାହୁଁଥିବା ବି ଜଣାଯାଇଛି ।ତେବେ ବ୍ୟାଙ୍କ ଆକାଉଣ୍ଟ ନମ୍ବରର ତଥ୍ୟ ଆଣି ତଦନ୍ତକୁ ଆଗକୁ ବଢାଯାଉଛି । ତେବେ ଡ୍ରାଇଭର ସଚିନଙ୍କ ସମେତ ଆଉ ୪ ଜଣ ଠିକା କର୍ମଚାରୀ ଗିରଫ ହେବା ପରେ ଆଉ କିଏ ଏଥିରେ ସଂପୃକ୍ତ ଅଛନ୍ତି ତାହାର ଖୋଳତାଡ ଚାଲିଛି । ସବୁଠୁ ବଡ କଥା ହେଲା, ଏହି ଦେଶଦ୍ରୋହୀଙ୍କ ପୂରା ଚେନ୍ କେଉଁ ଆଡକୁ ବ୍ୟାପିଛି ଏହାର ତଦନ୍ତ କରିବ କ୍ରାଇମବ୍ରାଂଚ । ପୂର୍ବରୁ ଇଶ୍ୱର ବେହେରା ମାମଲାରେ ମଧ୍ୟ ତଦନ୍ତ ସମାନ ଦିଗରେ ଆଗେଇ ଥିଲା । ଏପରକିି ଏନଆଇଏ ମଧ୍ୟ ଷଡଯନ୍ତ୍ର ଉପରୁ ପରଦା ହଟାଇଥିଲା ।

ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବର୍ଷ ବର୍ଷ ଧରି ଠିକା କର୍ମଚାରୀ ଭାବେ କାମ କରୁଥିଲେ ଅଭିଯୁକ୍ତ । ଯେହେତୁ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ଏହି ଅନୁଷ୍ଠାନରେ କାମ କରୁଥିଲେ ତେଣୁ ଅନେକ ଗୋପନୀୟ ତଥ୍ୟ ଓ ସୂଚନା, ଏମାନେ ପାଉଥିବାର ଅନୁମାନ କରାଯାଉଛି । ସେହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଶତ୍ରୁ ରାଷ୍ଟ୍ର ହାତକୁ ବିକ୍ରି କରି ଦେଉଥିଲେ । ଏବେ ପ୍ରଶ୍ନ ଉଠୁଛି, ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନରେ କାହିଁକି ଠିକା ନିଯୁକ୍ତି ହେଉଛି? ଏମାନଙ୍କ ଉପରେ କିଏ ନଜର ରଖୁଛି? ଠିକା କର୍ମଚାରୀ ହୋଇଥିବାରୁ ଏମାନଙ୍କ ଆନୁଗତ୍ୟ ରହୁନାହିଁ କି?