କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା, ଜାଣନ୍ତୁ କେବେ ଠାରୁ ଘରେ ଘରେ ଦିଆଯିବ ଟିକା

146

କନକ ବ୍ୟୁରୋ : କରୋନା ମହାମାରୀର ତୃତୀୟ ଲହର ଆଶଂକା ଭିତରେ ସରକାର ଟିକାକରଣକୁ ନେଇ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାର ନଭେମ୍ବର ୨ ତାରିଖ ଠାରୁ ‘ହର ଘର ଦସ୍ତକ’ ନାମରେ ଏକ ଯୋଜନାର ପ୍ରଣୟନ କରି ପ୍ରତି ଘର ଘର ବୁଲି ଟିକା ଦେବାକୁ ଘୋଷଣା କରିଛନ୍ତି । ଏହି ଅଭିଯାନ ମୁତାବକ ୧୮ ବର୍ଷରୁ ଅଧିକ ବୟସ୍କ (ଯେଉଁମାନେ ଟିକା ନେଇ ନାହାଁନ୍ତି ବା ଗୋଟିଏ ଖୋରାକ ନେଇଛନ୍ତି) ସେମାନଙ୍କ ଘର ନିକଟରେ ପହଂଚି ସେମାନଙ୍କୁ ଟିକା ଦିଆଯିବ । ପାର୍ବଣ ସମୟରେ କରୋନା ସଂକ୍ରମଣ ବଢିବା ଆଶଂକା କରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସରକାରୀ ପରିସଂଖ୍ୟାନ ମୁତାବକ କୋଭିଡ-୧୯ ଟିକାର ପ୍ରଥମ ଖୋରାକ ନେଇଥିବା ୧୧ କୋଟି ଲୋକ ଦ୍ୱିତୀୟ ଖୋରାକର ସମୟ ଅତିବାହିତ ହୋଇଥିଲେ ବି ଟିକା ନେଇ ନାହାଁନ୍ତି । ଏହାର କାରଣ ଭାବେ ଦର୍ଶାଯାଇଛି କି, ଦିନ ମୁଜୁରୀଆମାନେ ଭାବୁଛନ୍ତି କି ଟିକା ନେଲେ ସେମାନଙ୍କ କାମ ଉପରେ ପ୍ରଭାବ ପଡିବ । କିଛି ଲୋକ ଭାବୁଛନ୍ତି କି ଟିକାର ଗୋଟିଏ ଖୋରାକ ସେମାନଙ୍କ ପାଇଁ ଯଥେଷ୍ଟ । ବୟସ୍କ ଓ ଦିବ୍ୟାଙ୍ଗ ଲୋକମାନେ ଟିକାକରଣ କେନ୍ଦ୍ରକୁ ଆସିବାରେ ଅସବୁଧା ହେଉଥିବାରୁ ସେମାନେ ଟିକା ନେଇପାରି ନାହାଁନ୍ତି ।

ସରକାର ଚିନ୍ତା କରିଛନ୍ତି କି ଏଭଳି ସମସ୍ୟାର ସମାଧାନ ପାଇଁ ଯଦି ବାକି ରହିଯାଇଥିବା ଲୋକମାନଙ୍କୁ ସେମାନଙ୍କ ଘର ନିକଟରେ ଟିକା ଦିଆଯାଇ ପାରିବ ତେବେ ଅଧିକରୁ ଅଧିକ ଲୋକ ଟିକା ନେଇ ପାରିବେ । ଆଇସିଏମଆରର ମହାନିର୍ଦ୍ଦେଶକ ଏନ.କେ ଗାଙ୍ଗୁଲି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଏହି ଯୋଜନାରେ ସରକାର ଅଧିକ ସଫଳତା ପାଇବେ ।