କେମିତି ହୋଇଥିଲା ପେଟ୍ରୋଲ ପମ୍ପ ବିସ୍ଫୋରଣ ? ନିଖୋଜ ବ୍ୟକ୍ତିଙ୍କ ଫଟୋ ଦେଖାଇ ଖୋଜୁଛନ୍ତି ପରିବାର ଲୋକ ।

279

କନକ ବ୍ୟୁରୋ : ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ନିଖୋଜ ବ୍ୟକ୍ତିଙ୍କ ପତ୍ତା ଲଗାଇବା ପାଇଁ ଆବଶ୍ୟକ ପଡ଼ିଲେ ଖଣ୍ଡବିଖଣ୍ଡିତ ମାଂସ ପିଣ୍ଡୁଳାର ଡିଏନଏ ଟେଷ୍ଟ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ଆଉ ଏହାରି ଭିତରେ କେଉଁ କାରଣରୁ ଦୁର୍ଘଟଣା ହେଲା, ସେ ନେଇ ବିଧିବଦ୍ଧ ଭାବେ ସୂଚନା ଆସିଛି । ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତି ହୋଇଥିଲା, ତା’ ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଂ ହୋଇଥିଲା । କିନ୍ତୁ ଯେତେବେଳେ ଏଲପିଜି ରିଫିଲିଂ ହେଲା, ସେତେବେଳେ ଲିକ୍ ହୋଇ ବିସ୍ଫୋରଣ ହୋଇଥିଲା । ଏପଟେ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାରକୁ ୮ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛି ଆଇଓସିଏଲ ।

ବିସ୍ଫୋରଣର ଭୟାନକ ଶବ୍ଦ ହୁଏତ ଏବେ ବି ସେମାନଙ୍କ କାନରେ ଗୁଂଜରିତ ହେଉଥିବ, ଯେଉଁମାନେ ଦୁର୍ଘଟଣାକୁ ଅତି ନିକଟରୁ ଦେଖିଛନ୍ତି । ଆଉ ଏହି ବିସ୍ପୋରଣର ଶବ୍ଦରେ ସବୁଦିନ ପାଇଁ ନୀରବି ଯାଇଛନ୍ତି ସତ୍ୟାନନ୍ଦ ନାୟକ । ଅଘଟଣର କେଇ ସେକେଣ୍ଡ ପୂର୍ବରୁ ଗ୍ୟାସ୍ ଫିଲିଂ କରୁଥିବା ଗଂଜାମ ଜିଲ୍ଲାର ଆସ୍କା ଅଞ୍ଚଳର ସତ୍ୟାନନ୍ଦ ପେଟ୍ରୋଲ ପମ୍ପ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।ଦୁର୍ଘଟଣା ପୂର୍ବରୁ ୩ଜଣ କର୍ମଚାରୀ ଗ୍ୟାସ୍ ଫିଲିଂ କରୁଥିଲେ । ଯେଉଁଥିରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି । ଏହାରି ଭିତରେ ପୋଲିସ୍ କମିଶନର କହିଛନ୍ତି, ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ୍ ଅଛନ୍ତି । ଆଉ ନିଖୋଜ ବ୍ୟକ୍ତିଙ୍କ ପତ୍ତା ଲଗାଇବା ପାଇଁ ଆବଶ୍ୟକ ପଡ଼ିଲେ ଖଣ୍ଡବିଖଣ୍ଡିତ ମାଂସ ପିଣ୍ଡୁଳାର ଡିଏନଏ ଟେଷ୍ଟ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ବିସ୍ଫୋରଣ ପରେ ବିଚଳିତ ହୋଇଯାଇଛନ୍ତି, ଯେଉଁ ପରିବାର ସଦସ୍ୟଙ୍କ ଖୋଜ ଖବର ମିଳୁନି । ସୁଦୂର ଗଞ୍ଜାମରୁ ଆସି ଭୁବନେଶ୍ୱରରେ ସୀମାଞ୍ଚଳ ପରିଡ଼ାଙ୍କୁ ଖୋଜୁଛନ୍ତି ତାଙ୍କ ପରିବାର ଲୋକ । ସୀମାଞ୍ଚଳଙ୍କ ଫଟୋ ଦେଖାଇ, ଘୁରି ବୁଲୁଛନ୍ତି ତାଙ୍କ ଭାଇ ।

ଡିପାର୍ଟମେଣ୍ଟ ଅଫ୍ ଏକ୍ସପ୍ଲୋସିଭର ଡେପୁଟି ଚିଫ୍ କଂଟ୍ରୋଲରଙ୍କ ସୂଚନା ଅନୁସାରେ, ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଂ ଚାଲିଥିବା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ସମୟରେ ସାଢ଼େ ୪ ଟନ୍ ଏଲପିଜି ଏବଂ ୧୦ ହଜାର ଲିଟର ପାଣି ଥିଲା । ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତି ହୋଇଥିଲା, ତା’ ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଂ ସଫଳ ହେଲା । କିନ୍ତୁ ଯେତେବେଳେ ଏଲପିଜି ରିଫିଲିଂ ହେଲା, ସେତେବେଳେ ଲିକ୍ ହୋଇ ବିସ୍ଫୋରଣ ହେଲା ।

ଏହାରି ଭିତରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାରକୁ ୮ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛି ଆଇଓସିଏଲ । ଏହାସହ ଗୁରୁତର ଆହତଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ଲକ୍ଷେ ଟଙ୍କାର ସହାୟତା ମିଳିବ ବୋଲି ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଏହି ସହାୟତା ଘୋଷଣା କରାଯାଇଛି ।