ମହାନଦୀରେ ସମୁଦ୍ରକୁ ବହିଗଲା ୧୦ଲକ୍ଷ କ୍ୟୁସେକ୍‌ ପାଣି : ୮୦ ବର୍ଷ ପରେ ବି ଜଳ ଭଣ୍ଡାର ଯୋଜନା ଶୀତଳ ଭଣ୍ଡାରରେ

265

କନକ ବ୍ୟୁରୋ : ମାତ୍ର ଦଶ ଦିନରେ ସମୁଦ୍ରକୁ ଚାଲିଗଲା ମହାନଦୀର ୧୦ ଲକ୍ଷ କ୍ୟୁସେକ ପାଣି। ପାଣି ବୋହିଯିବା ପରେ ଏବେ କେଉଁଠି ନଈ ବାଲି ଦେଖା ଗଲାଣି ତ କେନାଲ ଶୁଖିଲା ପଡିଲାଣି। କିନ୍ତୁ ପାଣି ‌ସମୁଦ୍ର ମୁହାଁ ବାଟରେ କେଉଁଠି ଚାଷ ଜମି ବୁଡାଇଲା ତ କେଉଁଠି ଘରଦ୍ବାର ଭାଙ୍ଗିଲା। ମହାନଦୀରେ ହୀରାକୁଦ ବନ୍ଧ ନିର୍ମାଣକୁ ୬୦ ବର୍ଷ ବିତି ଯାଇଥିଲେ ବି ଏଯାଏ ଆଉ ଗୋଟିଏ ବି ଜଳଭଣ୍ଡାର ନିର୍ମାଣ ନ ହେବା ବର୍ଷ ବର୍ଷ ଧରି ଏଭଳି ପରିସ୍ଥିତି ସୃଷ୍ଟି କରିଚାଲିଛି।

ତଥ୍ୟ ଅନୁଯାୟୀ ଅଗଷ୍ଟ ୩୧ ତାରିଖରେ ମୁଣ୍ଡଳୀରେ ସର୍ବାଧିକ ୧୦ଲକ୍ଷ ୨୬ହଜାର ୨୧୮କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବାବେଳେ ଏବେ ପ୍ରବାହିତ ହେଉଛି ମାତ୍ର ୧ଲକ୍ଷ ୧୮ହଜାର ୭୬୭କ୍ୟୁସେକ୍‌ ପାଣି। କାଠଯୋଡ଼ିର ନରାଜ ଓ ମହାନଦୀର ଯୋବ୍ରା ନିକଟରେ ବ୍ୟାରେଜ ରହିଛି। ଏହା କିଛି ମାତ୍ରାରେ ଜଳ ପ୍ରବାହ ନିୟନ୍ତ୍ରଣ କରୁଥିଲେ ବି ବର୍ଷା ଦିନର ଉଦବୃତ ଜଳ ରକ୍ଷଣରେ ସହାୟକ ହୋଇପାରୁ ନାହିଁ। ମୁଣ୍ଡଳୀ ନିକଟରେ ମହାନଦୀରୁ ପୁରୀ ମୁଖ୍ୟ କେନାଲକୁ ଜଳ ଯୋଗାଣ ହେଉଥିଲେ ବି ଏହା ଅନ୍ୟ କୌଣସି ବିଶେଷ ଉଦ୍ଦେଶ୍ୟ ପୂରଣ କରିପାରୁନାହିଁ।

ମହାନଦୀ ବେସିନ୍‌ର କ୍ୟାଚ୍‌ମେଣ୍ଟ ଅଂଚଳ ହେଉଛି ହୀରାକୁଦ ଡ୍ୟାମ୍‌, ଖଇରିମାଳରୁ ସିଧା ମୁଣ୍ଡଳୀ/ନରାଜ। ନରାଜରୁ ସିଧା ସିଧାସଳଖ ବ‌େଙ୍ଗାପସାଗରରେ ମିଶୁଛି ମହାନଦୀ ଜଳ। ଆଜି ପର୍ଯ୍ୟନ୍ତ ମହାନଦୀର ପାଣିକୁ ସଂରକ୍ଷିତ କରିବା ପାଇଁ ସରକାରୀସ୍ତରରେ କୌଣସି ବ୍ୟବସ୍ଥା କରାଗଲାନି। ଅନ୍ୟପଟେ ସରକାର ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ତଥା ବିଭିନ୍ନ ନଦୀ ପାଇଁ ୧୨ଶହ କୋଟିର ଯୋଜନା କରିବା ସହ ପାଣି ରୋକିବା ପାଇଁ ୧୦୩ ସ୍ଥାନରେ ବ୍ୟାରେଜ, ଆନିକଟ ପାଇଁ ଯୋଜନା କରିଛନ୍ତି। ଯେଉଁଥିରେ ମହାନଦୀର ଉପରମୁଣ୍ଡ ଓ ମଧ୍ୟଭାଗରେ ୬ଟି ସ୍ଥାନ ଚିହ୍ନଟ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନି। ହୀରାକୁଦ ଗେଟ୍‌ ଖୋଲିଲେ ପାଣି ସିଧାସଲଖ ଖଇରିମାଲ, ବାରିମୂଳ ଦେଇ କଟକର ମୁଣ୍ଡଳୀ/ନରାଜକୁ ଆସୁଛି। ନରାଜ ନିକଟରେ ଏହା ଦୁଇଭାଗ ହୋଇ ମହାନଦୀ ଓ କାଠଯୋଡିରେ ଯାଉଛି। ଯୋବ୍ରା ନିକଟରେ ମହାନଦୀ ପୁଣି ଦୁଇଭାଗ ହୋଇ ବାମରେ ବିରୂପା ଓ ଡାହାଣରେ ପାରଦ୍ବୀପ ଆଡକୁ ଯାଇ ସମୁଦ୍ରରେ ମିଶୁଛି। ମହାନଦୀର ଶାଖା ନଦୀ ଭାବେ ପୁଣି ଚିତ୍ରୋତ୍ପଳା ଦୁଇଭାଗ ହୋଇ ଲୁଣା ଚିତ୍ରୋତ୍ପଳା ଓ ପୁଣି ଲୁଣା ହୋଇ ମହାନଦୀ‌ ପାରାଦ୍ବୀପର ତାରପୁର ପାଖରେ ସମୁଦ୍ରରେ ମିଶୁଛି।

୧୮ତାରିଖ ମୁଣ୍ଡଳୀରେ ୪ଲକ୍ଷ ୭୪ହଜାର ୬୨୪ଘନଫୁଟ ଜଳ ପ୍ରବାହିତ ହେଉଥିବାବେଳେ, ନରାଜଠାରେ ୨ଲକ୍ଷ ୩୪ହଜାର ୬୨୨ଘନଫୁଟ ଓ ଯୋବ୍ରାରେ ୨ଲକ୍ଷ ୪୦ହଜାର ୭୧୫ଘନଫୁଟ ପାଣି ପ୍ରବାହିତ ହେଉଥିଲା। ୨୮ତାରିଖ ଦିନ ମୁଣ୍ଡଳୀରେ ୭ଲକ୍ଷ ୧୧ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବାବେଳେ, ନରାଜଠାରେ ୩ଲକ୍ଷ ୫୨ହଜାର ୯୫୭ କ୍ୟୁସେକ ଓ ଯୋବ୍ରାରେ ୩ଲକ୍ଷ ୪୫ହଜାର ୭୦୫ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଜଳସମ୍ପଦ ବିଭାଗ ତଥ୍ୟ ଅନୁସାରେ ୩୦ ତାରିଖରେ ୧୦ଲକ୍ଷ ୨୦ହଜାର୮୨୩ କ୍ୟୁସେକ୍‌, ୩୧ରେ ସର୍ବାଧିକ ୧୦ଲକ୍ଷ ୨୬ହଜାର ୨୧୮କ୍ୟୁସେକ୍‌, ୧ତାରିଖରେ ‌‌୯ଲକ୍ଷ ୨୦ହଜାର ୯୪୦ କ୍ୟୁସେକ୍‌, ୨ ତାରିଖରେ ୭ଲକ୍ଷ ୧୧ ହଜାର କ୍ୟୁସେକ୍‌,୩ରେ ୫ଲକ୍ଷ ୮୭ହଜାର ୫୭୦କ୍ୟୁସେକ୍‌, ୪ରେ ୪ଲକ୍ଷ ୩୬ହଜାର୮୦୩କ୍ୟୁସେକ୍‌ ଓ ଗତକାଲି ଓ ଆଜି ୧ଲକ୍ଷ ୧୮ହଜାର ୭୬୭କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ବହୁମୁଖୀ ହୀରାକୁଦ ନଦୀବନ୍ଧ ନିର୍ମାଣ ହେବା ପୂର୍ବରୁ ୧୮୬୮ରୁ ୧୯୪୬ ମଧ୍ୟରେ ମହାନଦୀରେ ୬୩ଟି ବଡ଼ ବନ୍ୟା ଆସିଛି। ନରାଜଠାରେ ୧୦ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହୋଇଛି। ଅର୍ଥାତ, ପ୍ରତି ୧୦ ବର୍ଷରେ ମହାନଦୀରେ ୮ଟି ବଡ଼ ବନ୍ୟା ଆସୁଥିଲା ।

୧୯୫୮ରୁ ୨୦୧୯(୬୨ ବର୍ଷ) ମଧ୍ୟରେ ୨୧ଟି ବଡ଼ ବନ୍ୟା ଆସିଥିବା ରେକର୍ଡ କରାଯାଇଛି। ମୁଣ୍ଡଳୀଠାରେ ୨୦୦୮ରେ ୧୬ଲକ୍ଷ ପାଖାପାଖି କ୍ୟୁସେକ୍‌ ପର୍ଯ୍ୟନ୍ତ ଜଳ ପ୍ରବାହିତ ହୋଇଥିବାର ରେକର୍ଡ କହୁଛି। ଆଉ ଏଥିରେ ସମ୍ବଲପୁରଠାରୁ ଆରମ୍ଭ କରି ଅନୁଗୁଳ, ଅବିଭକ୍ତ କଟକ ଓ ପୁରୀ ଜିଲ୍ଲା ପର୍ଯ୍ୟନ୍ତ ଲୋକଙ୍କୁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି। ୧୯୩୭ ମସିହାର ପ୍ରଳୟଙ୍କରୀ ବନ୍ୟା ପରେ ଡ. ବି.ଆର.ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ବନ୍ୟା ଉପଦେଷ୍ଟା କମିଟି(୧୯୩୮-୪୫)ର ବୈଠକରେ ହୀରାକୁଦ, ନରାଜ ଓ ଟିକରପଡ଼ାଠାରେ ୩ଟି ନଦୀବନ୍ଧ ନିର୍ମାଣ ପାଇଁ ସ୍ବୀକୃତି ଦିଆଯାଇଥିଲା। କିନ୍ତୁ କେବଳ ହୀରାକୁଦ ନଦୀବନ୍ଧ ନିର୍ମାଣ ହୋଇପାରିଛି। ଆଉ ମୁଣ୍ଡଳୀଠାରେ ଆନିକଟ ନିର୍ମାଣ କରି ପୁରୀ ଜିଲ୍ଲା ପାଇଁ ଜଳସେଚନ ସୁବିଧା କରାଯାଇଛି। ବିଭିନ୍ନ କାରଣରୁ ଆଉ ଦୁଇଟି ନଦୀବନ୍ଧ ନିର୍ମାଣ ହୋଇପାରି ନାହିଁ। ମହାନଦୀର ତଳମୁଣ୍ଡରେ ଥିବା ଏହାର ୪୮,୭୦୦ ବର୍ଗ କିଲୋମିଟର ଅବବାହିକାର ବର୍ଷାଜଳ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ହୋଇପାରିନାହିଁ। ଏ ସଂପର୍କରେ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ସ୍ବତନ୍ତ୍ର ପ୍ଲାନିଂ ବିଭାଗ ରହିଛି। ସରକାର ଏ ସଂପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।