କନକ ବ୍ୟୁରୋ : ଗାଁ ପ୍ରତି କାହାର ବା ଭଲ ପାଇବା ନଥାଏ । ଯିଏ ଗାଁରେ ବଢିଛି, ସେ କେବେ ହେଲେ ଗାଁ କଥା ଭୁଲିପାରେନି । ନିଜ ଗାଁ କିଭଳି ଆଗକୁ ବଢିବ, ନିଜ ଗାଁକୁ କିଭଳି ଭଲ ରାସ୍ତାଟିଏ ଥିବ, ଗାଁରେ କିଭଳି ସହର ଭଳି ସୁବିଧା ମିଳିବ ସେ ସ୍ୱପ୍ନ ଅଧିକାଂଶ ଲୋକ ଦେଖିଥାନ୍ତି । କିନ୍ତୁ ଟଙ୍କା ଅଭାବରୁ ସେ ସ୍ୱପ୍ନ ପୂରଣ ହୋଇପାରିନଥାଏ । କିନ୍ତୁ ଆମେ ଏମିତି ଜଣେ ବ୍ୟକ୍ତି ବିଶେଷଙ୍କ ବାବଦରେ କହିବୁ ଯିଏ ଗାଁ ପାଇଁ ଏମିତି କିଛି କରିଛନ୍ତି ଯାହା ଆପଣଙ୍କୁ ବି ତାଜୁବ କରିଦେବ । କାରଣ ଗାଁର ଉନ୍ନତି ଓ ବିକାଶ ପାଇଁ ନିଜ ପକେଟରୁ ଦେଢ କୋଟି ଟଙ୍କା ଖୁସିରେ ଖର୍ଚ୍ଚ କରିଦେଇଛନ୍ତି । ଯାହା ତାଙ୍କର ଗାଁ ପ୍ରତି ଥିବା ଭଲପାଇବାକୁ ଦର୍ଶାଉଛି । ଏପରିିକି ଗାଁ ଲୋକଙ୍କର ସୁବିଧା ପାଇଁ ନିଜ ଜମି ମଧ୍ୟ ଦାନ କରି ଦେଇଛନ୍ତି । ଅର୍ଥ ଅଭାବରୁ ଗାଁର ବିକାଶ ଅଧାରେ ଅଟକି ନଯାଉ ସେଥିପାଇଁ ଜମି ବନ୍ଧା ପକାଇ ବ୍ୟାଙ୍କରୁ ଋଣ ଆଣି ଗାଁର ନବକଳେବର କରିଛନ୍ତି । ଆଉ ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଉତ୍ତରପ୍ରଦେଶ ଏଟା ଅଞ୍ଚଳର ହୈଦରପୁର ଗାଁର ରାମଗୋପାଳ ଦୀକ୍ଷିତ । ଯିଏ ନିଜ ଗାଁକୁ ବିକଶିତ କରିବାକୁ ସ୍ୱପ୍ନ ଦେଖିଛନ୍ତି ଓ ଏହାକୁ ସାକାର ମଧ୍ୟ କରୁଛନ୍ତି ।
ହୈଦରପୁରର ରାମଗୋପାଳ ଦୀର୍ଘ ବର୍ଷ ପୂର୍ବେ ପାଠ ପଢିବା ପରେ ଦିଲ୍ଲୀ ଚାଲିଯାଇ ବ୍ୟବସାୟ ଆରମ୍ଭ କରିଥିଲେ । ଆଉ ଭଗବାନଙ୍କ କୃପାରୁ ବ୍ୟବସାୟ ମଧ୍ୟ ବେଶ ଭଲ ଚାଲିଥିଲା । ତେବେ ଦିଲ୍ଲୀରେ କିଛି ବର୍ଷ ରହିବା ପରେ ଗାଁକୁ ଫେରିଥିଲେ ରାମଗୋପାଳ । କିନ୍ତୁ ଗାଁର ଅବସ୍ଥା ଦେଖି ସେ ଭାଙ୍ଗିପଡିଥିଲେ । କାରଣ ଗାଁକୁୂ ନା ଥିଲା ପକ୍କା ରାସ୍ତା, ନା ଗାଁକୁ ଠିକ୍ ସମୟରେ ଆସୁଥିଲା ପାଣି । ଏପରିକି ବିବାହ କରିବା ପାଇଁ କୌଣସି ବର ମଧ୍ୟ ଗାଁକୁ ଆସୁନଥିଲେ । ସ୍ଥାନୀୟ ଜନପ୍ରତିନିଧି କେବଳ ଭୋଟ ବେଳେ ଆସି ଏହାପରେ ସମ୍ପୂର୍ଣ୍ଣ ଗାଁକୁ ଭୁଲି ଯାଉଥିଲେ । ଆଉ ଗାଁର ଏଭଳି ସ୍ଥିତି ରାମଗୋପାଳଙ୍କୁ ବେଶ କଷ୍ଟ ଦେଇଥିଲା । ଯେଉଁଥିପାଇଁ ଗାଁର ଏଭଳି ସ୍ଥିତିକୁ ସୁଧାରିବାକୁ ସଂକଳ୍ପ କରିଥିଲେ ରାମଗୋପାଳ । ଆଉ ଏଥିପାଇଁ ପ୍ରଥମେ ଗାଁର ମୁରବୀଶ୍ରେଣୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଆଉ ଏହି ଆଲୋଚନାରୁ ହିଁ ଜାଣିବାକୁ ପାଇଥିଲେ ଯେ, ସରକାର ଓ ପ୍ରଶାସନ ଉପରେ ଭରସା କଲେ କିଛି ଲାଭ ନାହିଁ । ବରଂ ଗାଁର ଭାଗ୍ୟକୁ ତାଙ୍କୁ ହିଁ ବଦଳାଇବାକୁ ପଡିବ । କିନ୍ତୁ ଏଥିପାଇଁ ଯଥେଷ୍ଟ ଅର୍ଥର ଆବଶ୍ୟକତା ପଡିବ । ତେଣୁ ଆଗ ପଛ କିଛି ବିଚାର ନକରି ନିଜ ପାଖରେ ଥିବା ଟଙ୍କାରେ ପ୍ରଥମେ ଗାଁର କାଦୁଅ ରାସ୍ତାକୁ ପକ୍କା କରିଥିଲେ ରାମଗୋପାଳ ।
ଗାଁରେ ରାସ୍ତା ନିର୍ମାଣ ପରେ ରାମଗୋପାଳ ଏକ କମ୍ୟୁନିଟି ପାର୍କ ନିର୍ମାଣ ଆରମ୍ଭ କରିଥିଲେ । ସେହିଭଳି ଗାଁ ଲୋକେ ଯେପରି ବାହାଘରରେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଏକ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ଟଙ୍କା ଖର୍ଚ୍ଚ କରିବା ସହ ନିଜର ଜମି ଦାନ କରିଦେଇଥିଲେ ।ଏହାଛଡା ଗାଁ ସ୍କୁଲରେ ଶୌଚାଳୟ ନିର୍ମାଣ କରିଛନ୍ତି । ଏନେଇ ରାମଗୋପାଳ କହିଛନ୍ତି, ମୁଁ ଅତି ଗରିବରୁ ଏହି ସ୍ଥାନରେ ପହଞ୍ଚିଛି । ପିଲାବେଳେ ଏତେ ଅଭାବ ଥିଲା ଯେ, ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡୁଥିଲା । ଆଉ ଏଭଳି ସଂଘର୍ଷ କରି ଆଜି ଏହି ସ୍ଥାନରେ ପହଞ୍ଚିଛି । ଭଗବାନଙ୍କ କୃପାରୁ ଏହା ମୁଁ ହାସଲ କରିଛି । ବାସ୍ତବରେ ଜୀବନକୁ ଆଦୌ ଭରସା ନାହିଁ । ତେଣୁ ଏହାପୂର୍ବରୁ ଗାଁ ପାଇଁ କିଛି କରିଯିବାର ଇଚ୍ଛା ରହିଛି । ଏହି ବିକାଶମୂଳକ କାର୍ଯ୍ୟ ପାଇଁ ପାଖାପାଖି ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯେପରି ଜଣେ ବ୍ୟକ୍ତି ନିଜ ଘର ପାଇଁ ସବୁକିଛି କରେ, ଠିକ୍ ସେହିଭଳି ମୁଁ ମୋ ଗାଁ ପାଇଁ କରୁଛି । ମୋ ପାଖରେ ବେଶି ଟଙ୍କା ନଥିଲା ସେଥିପାଇଁ ଜମି ବନ୍ଧା ପକାଇ ଯେଉଁ ଟଙ୍କା ପାଇଲି ତାହାକୁ ଗାଁର ବିକାଶମୂଳକ କାର୍ଯ୍ୟରେ ଲଗାଇଦେଲି ।
ସେହିଭଳି ଚାଳଘରେ ରହୁଥିବା କିଛି ଗରିବ ଲୋକଙ୍କ ପାଇଁ ମଧ୍ୟ ପକ୍କାଘର କରିଦେବା ସହ କିଛି ଘରର ମରାମତି କରାଇଛନ୍ତି ରାମଗୋପାଳ । ଆଉ ଏତେସବୁ ବିକାଶମୂଳକ କାର୍ଯ୍ୟ ପଛର ପୁରୋଧା ସାଜିଛନ୍ତି ରାମଗୋପାଳ । ଆଉ ଏଭଳି କାର୍ଯ୍ୟ ପାଇଁ ରାମଗୋପାଳଙ୍କୁ ସ୍ଥାନୀୟ କମିଶନର ପ୍ରଂଶସା କରିବା ସହ ରାମଗୋପାଳ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ।