ବ୍ୟକ୍ତି ଏକ, ଚାକିରି ଦୁଇ । କରଞ୍ଜିଆ ସବସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରୁଥିବା ଦୀଲ୍ଲିପ କୁମାର ମହାନ୍ତ ଖୁଣ୍ଟା ଜୁନିଅର କଲେଜରେ ଚାକିରି କରୁଥିବା ଅଭିଯୋଗ । 

351

କନକ ବ୍ୟୁରୋ : ଜଣେ ବ୍ୟକ୍ତି, ୨ଟି ସରକାରୀ ଚାକିରୀ  । କଥାଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ କାରଣ, ବର୍ତମାନ ସମୟରେ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ପିଲାମାନେ ବେକାର ହୋଇ ବୁଲୁଛନ୍ତି । ସରକାରୀ ଚାକିରୀ ତ ସାତ ସପନ । ହେଲେ ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ଧରି ଦୁଇ ଦୁଇଟି ସରକାରୀ ଚାକିରୀ କରି ଦରମା ନେଇ ଚାଲିଛନ୍ତି । ତାହା ପୁଣି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ । ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।

ବେତନଟୀ ବ୍ଲକ୍ ଅଂଚଳର ଦୀଲ୍ଲିପ କୁମାର ମହାନ୍ତଙ୍କ ନାଁରେ ଆସିଛି ଏହି ଅଭିଯୋଗ । ସେ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କରଞ୍ଜିଆ ସବସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ଭାବେ ପରମାନେଟ୍ ପୋଷ୍ଟରେ କାର୍ଯ୍ୟ କରୁଥିବା ବେଳେ ୭ ବର୍ଷ ଧରି ଖୁଣ୍ଟା ଜୁନିଅର କଲେଜରେ ବିଜ୍ଞାନ ବିଭାଗରେ ଗଣିତରେ ରେଗୁଲାର ପୋଷ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଯାହାର ପ୍ରମାଣ ହସ୍ତଗତ ହୋଇଛି । ସରକାରୀ ନିୟମ ଅନୁସାରେ ୧୦ଟାରୁ ୫ଟା ପର୍ଯ୍ୟନ୍ତ ରହିବାର ବ୍ୟବସ୍ଥା ରହିଛି । ହେଲେ ଦିଲ୍ଲୀପ କିଭଳି ଗୋଟିଏ ସମୟରେ ଦୁଇଟି ସ୍ଥାନରେ ରହି କାର୍ଯ୍ୟ ସମ୍ପାଦନ କରୁଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଉପରିସ୍ଥ ଅଧିକାରୀମାନେ ଜାଣିଶୁଣି କାହିଁକି ଦିଲ୍ଲୀପଙ୍କୁ  ଘଂଟ ଘୋଡାଉଥିଲେ ଏହାର ତଦନ୍ତ ହେବା ଆବଶ୍ୟକ ।