ଗୋଟିଏ ଲିଟର ପେଟ୍ରୋଲ ପାଇଁ ଟିକସ ଦିଅନ୍ତି ୬୬ପ୍ରତିଶତ । ପାକିସ୍ତାନ, ଶ୍ରୀଲଙ୍କା ଓ ଆଫାଗନିସ୍ତାନରେ ଶସ୍ତାରେ ମିଳୁଛି ପେଟ୍ରୋଲ । ଭାରତରେ କାହିଁକି ବଢୁଛି ଦର?

132

କନକ ବ୍ୟୁରୋ: ଦେଶରେ ବଢୁଥିବା ତୈଳ ଦର ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି କାରଣ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଟପିଛି । ବର୍ତମାନ ଏହି ଦର ବୃ୍ଦ୍ଧିର କାରଣ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ଦ୍ୱାରା ଲଗାଯାଉଥିବା ମାତ୍ରାଧିକ ଏକ୍ସସାଇଜ ଓ ଅନ୍ୟାନ୍ୟ ଟିକସ । ଯେଉଥିଁପାଇଁ ଭାରତୀୟ ଗ୍ରାହକଙ୍କୁ ପେଟ୍ରୋଲ ଲାଗି ଯାହା ପ୍ରଦାନ କରୁଛନ୍ତି ତାର ପ୍ରାୟ ୬୬ପ୍ରତିଶତ କେବଳ ଏହି ଟିକସ ବାଦରେ ଦିଆଯାଏ । ଏବେ ପୁଣି ଏନଡିଏ ସରକାର ଅମଳରେ ଏହି ଟିକସ ବଢିବାରେ ଲାଗିଛି ।

ୟୁପିଏ ସରକାର ସମୟରେ ଏହି ସୂତ୍ରରୁ ହାରାହାରି ବାର୍ଷିକ ରାଜକୋଷୀୟ ଆୟ ୯୯ ହଜାର କୋଟି ହୋଇଥିବା ବେଳେ ଏନଡିଏ ସରକାରର ପ୍ରଥମ ଦୁଇ ବର୍ଷର କାର୍ଯ୍ୟକାଳ ସମୟରେ ଏହା ପହଂଚିଥିଲା ୨ଦଶମିକ ୪ଲକ୍ଷ କୋଟି ଟଙ୍କାରେ । ୨୦୧୪ରେ ମୋଦୀଙ୍କ ନେତୃତ୍ୱାଧିନ ଏନଡିଏ ସରକାର ଶାସନରେ ଆସିବା ପରଠାରୁ  ଆଜି ପର୍ଯ୍ୟନ୍ତ ୬ବର୍ଷ ମଧ୍ୟରେ ପେଟ୍ରୋଲ ଦରରେ ୨୮ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।

ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ଥାନ ଭଳି ପଡୋଶୀ ଦେଶରେ ପେଟ୍ରୋଲ ଦର ତୁଳନାତ୍ମକ ଭାବରେ କମ୍ ରହିଛି । ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୫୦ଟଙ୍କା, ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୬୧ ଟଙ୍କା ଓ ଆଫଗାନିସ୍ତାନରେ ପେଟ୍ରୋଲ ଲିଟର ପିଛା ୩୭ଟଙ୍କା ୫୦ପଇସା ରହିଛି । ସେପଟେ ଜାପାନ, ଦକ୍ଷିଣ କୋରିଆ, ଇଂଲଣ୍ଡ, ଫ୍ରାନ୍ସ ଓ ଜର୍ମାନି ଭଳି ବିକଶିତ ରାଷ୍ଟ୍ରରେ ଏହି ଦର ଭାରତ ସହ ସମକକ୍ଷ କିମ୍ବା ତାଠାରୁ ଅଧିକ ରହିଛି । ଜାପାନରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା, ଦକ୍ଷିଣ କୋରିଆରେ ୯୬ଟଙ୍କା, ଇଂଲଣ୍ଡରେ ୧୧୮ଟଙ୍କା, ଫ୍ରାନ୍ସରେ ୧୨୬ ଓ ଜର୍ମାନୀରେ ପେଟ୍ରୋଲ ଲିଟର ପିଛା ୧୧୯ଟଙ୍କା ରହିଛି । ଚୀନ୍ରେ ଏଡି ଦର ଭାରତ ସହ ପ୍ରାୟ ସମାନ ।

ପେଟ୍ରୋଲ ବ୍ୟବହାର ପରିବେଶ ପ୍ରଦୂଷଣର ଏକ ବଡ କାରଣ ହୋଇଥିବାରୁ ଅନେକ ୟୁରୋପୀୟ ରାଷ୍ଟ୍ରରେ ଏହା ଉପରେ ଅତିରିକ୍ତ କାର୍ବନ ଟିକସ ମଧ୍ୟ ଲଗାଯାଇଥାଏ । ଯାହା ସେଠାକାର ଉଚ୍ଚ ଦରର ଏକ କାରଣ । ବିଶେଷଜ୍ଞଙ୍କ ମତରେ ପେଟ୍ରୋଲ ଦରକୁ ଉଚ୍ଚ ରଖିବା ଅନେକ ସରକାରଙ୍କ ଏକ ଅଘୋଷିତ ନୀତି । କାରଣ ତାହା ପେଟ୍ରୋଲର ମାତ୍ରାଧିକ ବ୍ୟବହାରକୁ ନିରୁତ୍ସାହିତ କରି ଏହାର ଆମଦାନି ପରିମାଣରେ ତଥା ଏହା ଦ୍ୱାରା ହେଉଥିବା ପରିବେଶ ପ୍ରଦୂଷଣକୁ ହ୍ରାସ ଘଟାଇବ ।