ରିଲିଫ୍ ବଂଟନ ବେଳେ ଗଣ୍ଡଗୋଳ: ପୁଲିସ ମାଡ଼‌ରେ ଜଣେ ଆହତ, ପ୍ରତିବାଦରେ ରାସ୍ତାରୋକ

ସେପଟେ ଅସ୍ତରଙ୍ଗ, କାକଟପୁରରେ ଚାଲିଛି ରିଲିଫ ବଂଟନ

84

କନକ ବ୍ୟୁରୋ: ଜଗତସିଂହପୁର ବିରିଡିରେ ରିଲିଫ୍ ବଂଟନ ବେଳେ ଉତ୍ତେଜନା । ସୂଚନା ଅନୁଯାୟୀ ବିରିଡି ବ୍ଲକ କୁଳ-କଇଜଙ୍ଗା ପଂଚାୟତରେ ଫୋନି ପ୍ରଭାବିତ ଲୋକଙ୍କୁ ପଲିଥିନ୍ ବଂଟା ଯାଉଥିଲା । ସେହି ସମୟରେ ବିରିଡି ଗାଁର ପ୍ରମୋଦ ମୁଦୁଲି ନାମକ ଜଣେ ବ୍ୟକ୍ତିଙ୍କୁ ପଲିଥିନ ନମିଳିବାରେ ସେ ତହସିଲ ଗେଟ୍ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ପ୍ରମୋଦଙ୍କୁ କାଠଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

 

ପ୍ରମୋଦ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ପ୍ରଥମେ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ପ୍ରତିବାଦ କରି ସ୍ଥାନୀୟ ଲୋକ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୁରକ୍ଷା କର୍ମୀଙ୍କ ଗିରଫ ପାଇଁ ଦାବି କରିଛନ୍ତି । ତେବେ ଜିଲ୍ଳା ପୋଲିସର ବରିଷ୍ଠ ଅଧିକାରୀ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲେ ପ୍ରତିବାଦକାରୀ ।

ସେପଟେ, ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଅସ୍ତରଙ୍ଗ, କାକଟପୁରରେ ଚାଲିଛି ରିଲିଫ ବଂଟନ । ଲମ୍ବା ଲାଇନ ଲଗାଇ ଆର୍ଥିକ ସହାୟତା ନେଇଛନ୍ତି କ୍ଷତିଗ୍ରସ୍ଥ ପରିବାର । ବିଭିନ୍ନ ପଂଚାୟତ ଅଫିସ ସମ୍ମୁଖରେ ଖରାରେ ଘଂଟା ଘଂଟା ଧରି ଛିଡା ହୋଇ ସରକାରଙ୍କ ଘୋଷଣା ଅନୁଯାୟୀ ଆର୍ଥିକ ସହାୟତା ନେଇଛନ୍ତି ଲୋକେ । ବାତ୍ୟା ପ୍ରଭାବିତ ପରିବାରକୁ ୨ହଜାର ଲେଖାଏଁ ଟଙ୍କା ମିଳିଛି । ଏହା ସହିତ ୫୦କିଲୋ ଚାଉଳ ଓ ପଲିଥିନ ମିଳିବ ବୋଲି ଘୋଷଣା କରିଛନ୍ତି ସରକାର ।