କନକ ବ୍ୟୁରୋ : ସ୍ୱାମୀ ଜଣେ ହେଲେ ସ୍ତ୍ରୀ ସଂଖ୍ୟା ୩ରୁ ଅଧିକ । ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ରସିକିଆ ଡ୍ରାଇଭର ସ୍ୱାମୀଙ୍କୁ ସାଥିରେ ଧରି ଥାନାରେ ପହଞ୍ଚିଲେ ୨ ପତ୍ନୀ । ଅନେକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣି ଅଭିଯୁକ୍ତ ଆଲୋକ ଜେନାଙ୍କୁ ଦେଲେ ପୋଲିସର ଜିମା ।
ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଏମିତି ହାଇଡ୍ରାମା । ଆଲୋକ ଜେନା ନାମକ ଏହି ବ୍ୟକ୍ତିଙ୍କୁ ନେଇ ଟଣାଓଟରା ହୋଇଥିଲେ ତାଙ୍କର ଦୁଇ ପତ୍ନୀ । ଜଣେ କି ଦୁଇ ଜଣ ନୁହଁନ୍ତି ଏହି ବାବୁଙ୍କର ଅଛନ୍ତି ୩ରୁ ଅଧିକ ପତ୍ନୀ । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସ୍ୱାମୀଙ୍କୁ ଧରି ଏମାନେ ଥାନାରେ ପହଞ୍ଚିଥିଲେ । ଆଉ ଥାନାରେ ଅଭିଯୋଗ କରିବା ସହ ରସିକିଆ ଆଲୋକକୁ ଛେଚିଥିଲେ ।
ଆଲୋକ ପେଶାରେ ଜଣେ ଗାଡି ଡ୍ରାଇଭର । ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । କିନ୍ତୁ ସେ ସେ ରାଜଧାନୀରେ ରହି ଗାଡି ଚଳାନ୍ତି । ବିଭିନ୍ନ ସମୟରେ ଯୁବତୀମାନଙ୍କୁ ପ୍ରଲୋଭନ ଦେଖାଇ ବିବାହ କରିବା ସହ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଦୁଇ ପତ୍ନୀ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସବୁଠୁ ବଡ କଥା ହେଉଛି ହିନ୍ଦୁ ରୀତିନୀତି ଅନୁସାରେ ଜଣଙ୍କୁ ଛାଡପତ୍ର ଦେବା ପରେ ଅନ୍ୟକୁ ବିବାହ କରିବା କଥା । ହେଲେ ଅଭିଯୁକ୍ତ ଆଲୋକ କାହାକୁ ବି ଛାଡ଼୍ରପତ୍ର ଦେଇନାହାନ୍ତି । ଏବେ ସୁଦ୍ଧା ସେ ୩ ଜଣଙ୍କୁ ବିବାହ କରିଥିବା ସ୍ପଷ୍ଟ ହୋଇଛି । ଆଉ କିଛି ଝିଅଙ୍କୁ ବିବାହ କରଥିବା ନେଇ ଅଭିଯୋଗ ହୋଇଛି । ତେବେ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।